
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କୋକସରା ବ୍ଲକ ଅଞ୍ଚଳରେ ଧାନ ଓ ମକା ଚାଷ ପରେ ଏବେ ପିଆଜ ଚାଷର ଉତ୍ପାଦନ ବଢି ଚାଳିଛି । ବ୍ଲକର ଗୋତୋମୁଣ୍ଡା, ସାନପୋଡ଼ାଗୁଡା, ଟେମରା, କାଶୀବାହାଲ, ଫୁଫଗା, ମହିମା, ଗମ୍ଭାରୀଗୁଡା, ବଡପୋଡାଗୁଡା, ବରାଡଙ୍ଗା ଆଦି ପଞ୍ଚାୟତର ଚାଷୀମାନେ ଦିର୍ଘ ଦିନରୁ ପିଆଜ ଚାଷ କରି ଆସୁଛନ୍ତି । ତେବେ ସରକାରୀ ସ୍ତରରେ ବିକ୍ରି ବ୍ୟବସ୍ଥା କିମ୍ବା ପିଆଜ ସଂରକ୍ଷିତ ରଖିବାକୁ କୈାଣସି ଶୀତଳ ଭଣ୍ଡାର ନ ଥିବାରୁ କମ୍ ମୂଲ୍ୟରେ ବେପାରୀ ହାତରେ ଟେକି ଦେଉଥିବା ଅଭିଯୋଗ ହୋଇଛି।
କୋକସରା ଉଦ୍ୟାନ ବିଭାଗ ତରଫରୁ ମିଲିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସରକାରୀ ସ୍ତରରେ ବ୍ଳକର ୨୪୭ ଜଣ ଚାଷୀଙ୍କୁ ୩ କୁଇଣ୍ଟାଲ ୧୫ କେଜି. ପିଆଜ ମଞ୍ଜି ପ୍ରଦାନ କରାଯାଇଛି । ଗତବର୍ଷ ତୁଳନାରେ ଏ ବର୍ଷ ଏକର ପିଛା ୭୦ରୁ୮୨ କ୍ଵିଣ୍ଟାଲ ପିଆଜ ଉତ୍ପାଦନ ବଢିଛି । ସରକାରୀ ସ୍ତରରେ ଚଳିତ ବର୍ଷ ୪୧.୫୪ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ସୂଚନା ମିଳିଥିବାବେଳେ ବେସରକାରୀ ଭାବରେ ୧୦୦ରୁ ଉର୍ଦ୍ଧ୍ଵ ହେକ୍ଟର ଜମିରେ ଚାଷି ପିଆଜ ଚାଷ କରିଥିବା ଜଣାପଡିଛି ।
ବ୍ଲକରେ ପ୍ରତିବର୍ଷ ପିଆଜ ଉତ୍ପାଦନ ବଢୁଥିବାବେଳେ ଠିକ୍ ପିଆଜ ଅମଳ ପରେ ସଂରକ୍ଷଣ ବ୍ୟବସ୍ଥା ନ ଥିବା କାରଣରୁ ନିଜର ଆବଶ୍ୟକତା ମେଣ୍ଟାଇବାକୁ ସ୍ଥାନୀୟ ବେପାରିଙ୍କୁ କିଲୋ ପ୍ରତି ୧୫ ରୁ ୧୮ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଏ ନେଇ କୋକସରା ଉଦ୍ୟାନ ସହକାରୀ ଅଧିକାରୀ ତପନ କୁମାର ପାତ୍ର କହିଛନ୍ତି ଯେ, ବିଭାଗ ତରଫରୁ ଚାଷୀଙ୍କୁ ପିଆଜ ବିହନ ସବସିଡ଼ି ମୂଲ୍ୟରେ ଯୋଗାଇ ଦିଆଯାଉଛି, ସଂରକ୍ଷିତ ଗୃହ ପାଇଁ ସବସିଡ଼ି ଯୋଜନା ରହିଛି । ଏବଂ ବାହାର ରାଜ୍ୟରୁ ବେପାରୀ ମାନେ ଆସୁଥିବା କଥାକୁ ଅସ୍ବୀକାର କରିଛନ୍ତି।
ବ୍ଲକରେ ସରକାରଙ୍କ ତରଫରୁ ପିଆଜର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ରହିଥିଲେ ଚାଷୀ ଉପକୃତ ହେବା ସହ ରାଜ୍ୟରେ ପିଆଜର ଅଭାବ ଦୂର ହୋଇପାରନ୍ତା ବୋଲି ପିଆଜ ଚାଷୀମାନେ କହିଛନ୍ତି । ରାଜ୍ୟ ସରକାର ପିଆଜ ଚାଷୀଙ୍କ ସୁବିଧା ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।