
-
ମେ ୧୭ରୁ ୨୧– ଜିଲ୍ଲାପାଳ ଅଫିସ୍ ଘେରିବ ସିପିଆଇ
ଭୁବନେଶ୍ୱର, ସମଗ୍ର ରାଜ୍ୟରେ ଅଘୋଷିତ ବିଦ୍ୟୁତ୍କାଟ, ଲୋ ଭୋଲ୍ଟେଜ ଓ କମ୍ପାନୀ ଜୁଲୁମ ବିରୋଧରେ; କମ୍ପାନୀକୁ ବିଦା କରି ବିଦ୍ୟୁତ୍କୁ ସରକାର ନିଜ ହାତକୁ ନେବା, ରାଜ୍ୟ ବିଦ୍ୟୁତ୍ ବୋର୍ଡର ପୁନର୍ବାହାଲ, ସବୁ ଘରକୁ ବିଜୁଳି ଓ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ଯୋଗାଣ ଦାବିରେ ମେ ୧୭ରୁ ୨୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାପାଳ ଅଫିସ୍କୁ ଘେରାଉ କରିବା ପାଇଁ ସିପିଆଇ ନିଷ୍ପତ୍ତି ଗ୍ରହଣ କରିଛି । ଆଜି ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ପାର୍ଟିର ରାଜ୍ୟ ସମ୍ପାଦକମଣ୍ଡଳୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରକାଶ ଥାଉ କି, ଉପରୋକ୍ତ ଦାବି ଉପରେ ଗତ ଏପ୍ରିଲ ୨୨ ତାରିଖରେ ସିପିଆଇ ରାଜ୍ୟର ସମସ୍ତ ବିଦ୍ୟୁତ୍ ଅଫିସ୍ ଘେରାଉ କରିଥିଲା । ଏହାପରେ ରାଜ୍ୟ ସରକାର ହାସ୍ୟାସ୍ପଦ ଭାବରେ ବିବୃତି ଦେଲେ– “ଟାଟା କମ୍ପାନୀକୁ କୁହାଯାଇଛି ଦିନରେ ବିଦ୍ୟୁତ୍ କାଟ ହେବ ନାହିଁ” । କିନ୍ତୁ ଟାଟା କମ୍ପାନୀ କହିଲା, ବିଦ୍ୟୁତ୍ କାଟ ଅବଶ୍ୟ ହେବ । ଅର୍ଥାତ୍ ଦିନରେ ହେବ ନାହିଁ, ରାତିରେ ଓଡ଼ିଶା ଅନ୍ଧାର ହେବ । ଏଥିରୁ ଜଣାପଡ଼ୁଛି ଯେପରି ରାଜ୍ୟ ସରକାରଙ୍କର କୌଣସି ଦାୟିତ୍ୱ ନାହିଁ । ସରକାର ହାତ ଟେକିଦେଇଛନ୍ତି । ଯାହା କରିବ ଟାଟା କମ୍ପାନୀ କରିବ । ସିପିଆଇ ପକ୍ଷରୁ ପ୍ରେସ୍ ବିବୃତିରେ କୁହାଯାଇଛି– ଏ ରାଜ୍ୟର ମାଲିକ ଟାଟା କମ୍ପାନୀ ନୁହେଁ । ରାଜ୍ୟ ସରକାରଙ୍କୁ ରାଜ୍ୟର ଜନସାଧାରଣ ନିର୍ବାଚିତ କରିଛନ୍ତି । ଏଣୁ ନିଜ ଦାୟିତ୍ୱରୁ ସରକାର ଖସିଯାଇ ପାରିବେ ନାହିଁ । ରାଜ୍ୟ ସରକାର ଓଡ଼ିଶାକୁ ବିଦ୍ୟୁତ୍ ବଳକା ରାଜ୍ୟ ବୋଲି ଘୋଷଣା କରିଛନ୍ତି । ତେବେ ବିଦ୍ୟୁତ୍ ବଳକା ରାଜ୍ୟରେ ବିଦ୍ୟୁତ୍ କାଟ କାହିଁକି? ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଜୁଳି ନ ଯୋଗାଇ ଟାଟା କମ୍ପାନୀ ଦୟା ଉପରେ ଛଡ଼ାଯାଉଛି କାହିଁକି? ଏହି ପରିପ୍ରେକ୍ଷୀରେ ସିପିଆଇର ଦାବି ହେଉଛି– ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଟାଟା କମ୍ପାନୀକୁ ବିଦା କରି, ରାଜ୍ୟ ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ସବୁ ପରିବାରକୁ ମାଗଣାରେ ବିଜୁଳି ଯୋଗାଇ ଦିଅନ୍ତୁ ।
ରାଜ୍ୟ ସମ୍ପାଦକମଣ୍ଡଳୀରେ ଗୃହୀତ ଅନ୍ୟ ଏକ ପ୍ରସ୍ତାବରେ ଆସନ୍ତା ଜୁନ୍ ୪ ତାରିଖରୁ ୧୧ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାର ସୋରଠାରେ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସ୍ମାରକୀ ରାଜ୍ୟ ପାର୍ଟି ଶିକ୍ଷା ଶିବିର ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ବୈଠକରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ ଏବଂ ପ୍ରଶାନ୍ତ ପାଟ୍ଟଯୋଷୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।