
-
ଆଇନର ପରିସରରେ ରହି ମନ୍ଦିରର ସୁରକ୍ଷାକୁ ଦେଖି ନିର୍ମାଣ କାର୍ଯ୍ୟ କରାଯାଉ
ପୁରୀ, ନିଜର ଶତାଧିକ ସମର୍ଥକଙ୍କ ସହ ପୁରୀ ଡାକ୍ତରଖାନା ଛକରୁ ପଦଯାତ୍ରା କରି ଆଜି ଶ୍ରୀମନ୍ଦିର ସମ୍ମୁଖରେ ପହଂଚି ଥିଲେ ଭୁବନେଶ୍ଵର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗି । ସିଂହଦ୍ଵାରରୁ ଶ୍ରୀଜୀଉଙ୍କୁ ପ୍ରଣିପାତ କରିବା ସହ ଅରୁଣ ସ୍ତମ୍ଭ ନିକଟରେ କିଛି ସମୟ ସେ ବସି ରହିଥିଲେ । ପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ ।
ପୁରୀ ଗସ୍ତ ବେଳେ ଚନ୍ଦନପୁର କାଠ ପୋଲ ନିକଟରେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଏହି ପଦଯାତ୍ରା ପାଇଁ ଅନୁମତି ମଗାଯାଇନଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ । ଯଦି ସରକାର ସତ୍ ମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି । ଯଦି କିଛି ଲୁଚାଇବାର ନାହିଁ, ତେବେ ଭୟ କରୁଛନ୍ତି କାହିଁକି । ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି । ମୋର ଯାହା କହିବାର କଥା ଲୋକସଭାରେ କହି ସାରିଛି ।
ସେହିପରି ଏ ବାବଦରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । ସେ କହିଛନ୍ତି ଯେ, କାହିଁକି ହାଉସ୍ କମିଟି ଏଯାବତ୍ ଶ୍ରୀମନ୍ଦିର ତଦାରଖ ପାଇଁ ଆସିନାହାଁନ୍ତି । ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି? ନିଷିଦ୍ଧାଚଂଳରେ ୩୦ ଫୁଟ୍ ଗଭୀର ଗାତ ଖୋଳିବାକୁ ଅନୁମତି ଦେଲା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । କେଉଁ ଇଞ୍ଜିନିୟର ଓ ବିଶେଷଜ୍ଞ ୩୦ ଫୁଟ୍ ଗାତ ଖୋଳିବାକୁ ଅନୁମତି ଦେଲେ । ଅନୁରୂପ ଭାବେ ମନ୍ଦିର ଉପରେ ବିମାନ ଉଡିବା, ପାଖରେ ଭାରୀଯାନ ଚଳାଚଳକୁ ମନା କରାଯାଇଛି । ତେବେ ଜେସିବି ଦ୍ଵାରା ଗାତ ଖୋଳିବାକୁ ଅନୁମତି ମିଳିଲା କିପରି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା । ଏଥିରେ କେଉଁଠି ‘ଟି’ ଅର୍ଥାତ୍ ଟ୍ରାନ୍ସପାରେନ୍ସି (ସ୍ଵଚ୍ଛତା) ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏତଦ୍ ବ୍ୟତୀତ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଆକ୍ଷେପ କରି ଅପରାଜିତା କହିଛନ୍ତି ଯେ, ଯଦି ପୁରୀ ସାଂସଦ ଏନେଇ ଜାଣିବେନି, ତେବେ ଲୋକେ ଜାଣିବେ କିପରି । କ’ଣ ହେଲା ଯେ, ଶେଷରେ ଗଜପତି ମହାରାଜାଙ୍କ ସାହାରା ନେବାକୁ ପଡିଲା । ତେବେ ଗଜପତିଙ୍କ ମନ୍ତବ୍ୟ ଉପରେ କିଛି ମନ୍ତବ୍ୟ ଦେବାକୁ ମୁଁ ଚାହୁଁନି ବୋଲି କହିଛନ୍ତି ସାଂସଦ ଅପରାଜିତା ।
ଅନ୍ୟପକ୍ଷରେ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସେ ସମର୍ଥନ କରୁଛନ୍ତି, ହେଲେ ଆଇନର ପରିସରରେ ରହି ମନ୍ଦିରର ସୁରକ୍ଷାକୁ ଦେଖି ନିର୍ମାଣ କାର୍ଯ୍ୟ କରାଯାଉ । ଏବଂ ଆମକୁ ଏନେଇ ଏଏସଆଇର ମତାମତ ନେବା ଦରକାର ବୋଲି ସେ କହିଛନ୍ତି ।
ସାଂସଦ ଅପରାଜିତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।