ବଲାଙ୍ଗୀର/ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଦୁଇଦିନିଆ ବଲାଙ୍ଗୀର ଗସ୍ତ କ୍ରମରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ପୀଠ ଯାଇ ମିଶନଶକ୍ତି ଦ୍ୱାରା ପରିଚାଳିତ ପାନ୍ଥଶାଳା ଓ ସେଠାରେ ରହିଥିବା ବ୍ୟବସ୍ଥା ସଂପର୍କରେ ବ୍ଲକସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର କର୍ମକର୍ତାମାନଙ୍କ ସହିତ ଆଲୋଚନା କରିଥିଲେ । ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ପାନ୍ଥଶାଳାରେ ନିୟୋଜିତ ମହିଳା ସ୍ୱୟଂସହାୟିକା ସଦସ୍ୟାମାନେ ତାଲିମ ପ୍ରାପ୍ତ । ସେମାନଙ୍କର ଆତିଥ୍ୟ ମଧ୍ୟ ଉତମ । ସ୍ଥାନୀୟ ବ୍ଲକ ପ୍ରଶାସନ ତରଫରୁ ଏହି ପାନ୍ଥନିବାସର ପରିଚାଳନା ପାଇଁ ଆବଶ୍ୟକୀୟ ଭିତିଭୂମି ଓ ସରଞ୍ଜାମ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଏହି ପରିଚାଳନା ଦାୟିତ୍ୱ ଦିଆଯାଇଥିବାରୁ ଏହା ସେମାନଙ୍କୁ ଆର୍ôଥକ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ସହାୟକ ହେବ ବୋଲି ପଶ୍ଚିମ ଓଡିଶା ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଆଶା ପ୍ରକାଶ କରିଛନ୍ତି ।
ହରିଶଙ୍କର ପର୍ଯ୍ୟଟନ ଦୃଷ୍ଟିରୁ ଓଡିଶାର ଏକ ପ୍ରସିଦ୍ଧ, ମନୋରମ ଏବଂ ଆକର୍ଷଣୀୟ ସ୍ଥଳ । ବର୍ଷର ଅଧିକାଂଶ ସମୟରେ ଏଠାକୁ ବହୁ ସଂଖ୍ୟାରେ ଭକ୍ତ, ପର୍ଯ୍ୟଟକ, ପ୍ରକୃତିପ୍ରେମୀ ଓ ବଣଭୋଜି ପାଇଁ ଲୋକମାନେ ଆସିଥାନ୍ତି । ପାନ୍ଥଶାଳାରେ ରହିଥିବା ସୁବିଧା ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ଏହି ପାନ୍ଥଶାଳାର ପରିଚାଳନା ପ୍ରକୃତରେ ପର୍ଯ୍ୟଟନ, ପର୍ଯ୍ୟଟକ ଓ ମହିଳା ସଶକ୍ତିକରଣ ପାଇଁ ଏକ ସୁବ୍ୟବସ୍ଥିତ ଓ ସନ୍ତୋଷଜନକ ବ୍ୟବସ୍ଥା ବୋଲି ଶ୍ରୀ ତ୍ରିପାଠୀ କହିଥିଲେ ।
ଏହି ଗସ୍ତ ସମୟରେ ଶ୍ରୀ ତ୍ରିପାଠୀ ବଲାଙ୍ଗୀର ଆଜି କେତେକ କୃଷି-ବାଣିଜ୍ୟିକ ଫାର୍ମ ପରିଦର୍ଶନ, ନୂଆ ଓମଫେଡ୍ ପାର୍ଲର ଉଦ୍ଘାଟନ, ଗାନ୍ଧି ଷ୍ଟାଡିୟମଠାରେ ନୂଆ ଗ୍ୟାଲେରୀର ଭିତିପ୍ରସ୍ତର ସ୍ଥାପନ ଆଦି କରିବାର କାର୍ଯ୍ୟକ୍ରମ ରହିଛି । କ୍ଷେତ୍ର ପରିଦର୍ଶନ କରି ଭିତିଭୂମି ଓ ଆନୁଷଙ୍ଗିକ ସୁବିଧା ଅନୁଧ୍ୟାନ ପରେ ଶ୍ରୀ ତ୍ରିପାଠୀ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ସହିତ ବାଣିଜ୍ୟିକ ଫାର୍ମ, ମତ୍ସ୍ୟ ଚାଷ କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ, ଉଦ୍ୟାନ କୃଷି , ଗୋପାଳନ ଓ ଅର୍ଥକାରୀ ଫସଲ କରିବା ପାଇଁ ପ୍ରୋତ୍ସାହିତ କରିବା ସଂପର୍କରେ ଆଲୋଚନା କରିବେ ।
ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଲ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।