ଭୁବନେଶ୍ୱର, କାରଣ ଦର୍ଶାଅ ନୋଟିସ୍ ଉପରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଜବାବ ରଖିବା ପରେ ଏହାର ପାଲଟା ଉତର ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ତାଙ୍କ ବିରୋଧରେ ସୁରେଶ ରାଉତରାୟ ଆଣିଥିବା ଅଭିଯୋଗ ଭିତିହୀନ । ସୁର ରାଉତରାୟ ଦେଇଥିବା ଜବାବ ନେଇ ଶୃଙ୍ଖଳା କମିଟିରେ ଆଲୋଚନା କରାଯିବ । ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ବିଶୃଙ୍ଖଳା କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଗତକାଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ତାଙ୍କ ବିବୃତି ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ ସୁର ରାଉତରାୟ ବୁଧବାର କଂଗ୍ରେସ ଭବନକୁ ଆସି ସେ ଲିଖିତ ଭାବେ ଉତର ଦାଖଲ କରିଛନ୍ତି । ସୁରେଶ ରାଉତରାୟ ପୁଣିଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ପୁରୁଣା କଥା ଦୋହରାଇଛନ୍ତି । ଏ ଦୁହେଁ ବି ପିସିସି ସଭାପତି ନେଇ ନବୀନଙ୍କ କଥା କହିଥିଲେ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି । ଆମେ ଦିନକୁ ୧୮ ଘଂଟା କାମ କରୁଛୁ । ଅନ୍ୟ ବିଧାୟକ ତାରା, ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି । ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ ବୋଲି କହିଛନ୍ତି ସୁରେଶ ରାଉତରାୟ ।
ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ସୁର ରାଉତରାୟଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ । ନିକଟରେ କଂଗ୍ରେସ ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିଷ୍ପତି ନିଅନ୍ତି ବୋଲି ସୁର ରାଉତରାୟ ଗଣମାଧ୍ୟମରେ କହିଥିଲେ । ସେହି ସେହି ବୟାନ ଉପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।