ଭୁବନେଶ୍ୱର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିମନ୍ତେ କ୍ଷେତ୍ରୀୟ ଅଧିକାରୀମାନେ ସମାଜର ସ୍ପର୍ଶକାତର ଓ ସମସ୍ୟାସଂକୁଳ ଲୋକମାନଙ୍କ କାର୍ଯ୍ୟ କରିବାକୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପରାମର୍ଶ ଦେଇଛନ୍ତି । ବିଭାଗ ପକ୍ଷରୁ ନବନିଯୁକ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀମାନଙ୍କ ତାଲିମ କାର୍ଯ୍ୟକ୍ରମର ଉଦ୍ଯାପନ ଦିବସରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଅଧିକାରୀବୃନ୍ଦ ‘ମୋ ସରକାର’ ଓ ୫-‘ଟି’ ଅନ୍ତର୍ଗତ ନୀତି ପାଳନ କରିବାକୁ କହିଛନ୍ତି ।
ସ୍ଥାନୀୟ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗର କାର୍ଯ୍ୟ ରୂପାୟନରେ ସ୍ୱଚ୍ଛତା, ପ୍ରତିବଦ୍ଧତା ଓ ସମୟାନୁବର୍ତିତା ଅବଲମ୍ବନ କରିବା ଓ ବୟସ୍କ ନାଗରିକ, କିନ୍ନର, ସାମାଜିକ ସୁରକ୍ଷା ହିତାଧିକାରୀ ତଥା ଭିନ୍ନକ୍ଷମମାନଙ୍କ ସମସ୍ୟାର ସମାଧାନ ଦିଗରେ ନିଷ୍ଠା ପ୍ରତିପାଦନ କରିବାକୁ ଉଲ୍ଲେଖ କରିଛନ୍ତି । ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା ନବନିଯୁକ୍ତ ଅଧିକାରୀମାନଙ୍କୁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା, ଶୃଙ୍ଖଳାର ସହିତ ବିବିଧ ଆହ୍ୱାନଗୁଡ଼ିକର ସାମ୍ନା କରିବା ପାଇଁ ପରାମର୍ଶ ଦେଇଥିବାବେଳେ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ ବିଭାଗର କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ନୂତନ ଅଧିକାରୀମାନେ ସଂକଳ୍ପବଦ୍ଧ ଉଦ୍ୟମ ଜାରି ରଖିବେ ବୋଲି ଆଶା ପ୍ରକାଶ କରିବା ସହିତ ଏପରି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଏକାଡେମୀର ଅତିରିକ୍ତ କମିଶନର ଡ. ହିମାଂଶୁ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଓ ଯୁଗ୍ମ କମିଶନର ଡ. ପ୍ରଦୀପ କୁମାର ନାୟକ ତାଲିମ କାର୍ଯ୍ୟକ୍ରମର ଉପାଦାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ନବନିଯୁକ୍ତ ଅଧିକାରୀମାନଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ୧୫୧ ଜଣ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ତିନୋଟି ପର୍ଯ୍ୟାୟରେ ୧୭ ଦିନ ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ତାଲିମ ପ୍ରଦାନ କରାଯାଉଛି ।