ଭୁବନେଶ୍ୱର, ଖୁବ୍ ଶୀଘ୍ର ବଦଳିପାରନ୍ତି ଓଡିଶା ପିସିସି ସଭାପତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସର ଓଡିଶା ପ୍ରଭାରୀ ଏ. ଚେଲ୍ଲାକୁମାର । ସେ କହିଛନ୍ତି ପିସିସି ସଭାପତି ପରିବର୍ତନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯାଇଛି । ନୂଆ ପିସିସି ସଭାପତି ପାଇଁ ଏବେଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାୟକ ଓ ବରିଷ୍ଠ ନେତା ସମସ୍ତେ ନାଁ ଦେଇଛନ୍ତି, ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ନାଁ ଘୋଷଣା ହେବ ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୨୦୧୯ରୁ ଇସ୍ତଫା ଦେଇଛି । ଯିଏ ଦାୟିତ୍ୱ ତୁଲାଇପାରିବେ ନେଲେ ଭଲ । ମୋ ସହ ଏଯାବତ ପ୍ରଭାରୀ ପରିବର୍ତନ ନେଇ ଆଲୋଚନା କରିନାହାନ୍ତି । ପିସିସି ସଭାପତି ପରିବର୍ତନ ନେଇ ମୁଁ ଖୁସି ଅଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ମଙ୍ଗଳବାର ଦିନ କଂଗ୍ରେସ ଭବନରେ ପିସିସି ପରିବର୍ତନ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ପ୍ରଭାରୀ ଚେଲ୍ଲା କୁମାର ବିଧାୟକମାନଙ୍କ ସହ ଜଣଜଣ କରି ଆଲୋଚନା କରିଥିଲେ । ଏହି ବୈଠକରେ ସହପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।