ଭୁବନେଶ୍ୱର, ଉତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଉତପ୍ତ-ଶୁଷ୍କ ବାୟୁ ଏବଂ ଅତ୍ୟାଧିକ ସୂର୍ୟ୍ୟ ଉତାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୨ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ ଆସନ୍ତା ମେ ୧ ତାରିଖ ପର୍ୟ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗ୍ରୀଷ୍ମ ପ୍ରବାହ ପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆଗାମୀ ୨୪ ଘଂଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୭ରୁ ୨୮ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଖରାକୁ ନବାହାରି ଛାଇ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଶିଶୁ, ଅସୁସ୍ଥ ଓ ବୃଦ୍ଧ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା , ଅଧିକ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ବି ପାଣିପାଗ ବିଭାଗ ପରାମର୍ଶ ଦେବା ସହିତ ଆଖୁ, ଗ୍ରୀଷ୍ମ ମକା, ଡାଲି ଏବଂ ଅନ୍ୟାନ୍ୟ ଫସଲ ଏବଂ ପନିପରିବାରେ ଜଳସେଚନ କାର୍ୟ୍ୟ ଜାରି ରଖିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଅପରପକ୍ଷରେ ଆଜି ଦିନ ୨.୩୦ ସୁଦ୍ଧା ଝାରସୁଗୁଡା ସହରରେ ସର୍ବାଧିକ ୪୩.୬ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର: ୪୨.୬ ଡ଼ିଗ୍ରୀ, ହୀରାକୁଦ: ୪୧.୮ ଡ଼ିଗ୍ରୀ, କେନ୍ଦୁଝର: ୪୦.୨ ଡ଼ିଗ୍ରୀ ,ଚାନ୍ଦବାଲି: ୩୯.୪ ଡ଼ିଗ୍ରୀ ,ଭୁବନେଶ୍ୱର: ୩୮ ଡ଼ିଗ୍ରୀ , ବାଲେଶ୍ୱର: ୩୭.୮ ଡ଼ିଗ୍ରୀ ,ପୁରୀ: ୩୨.୬ ଡ଼ିଗ୍ରୀ , ପାରାଦ୍ୱୀପ: ୩୨ ଡ଼ିଗ୍ରୀ ଓ ଗୋପାଳପୁର: ୨୯.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।