-
ଶିକ୍ଷା ଦ୍ୱାରା ହିଁ ଭାରତ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ହେବ-ଧର୍ମେନ୍ଦ୍ର ପ୍ରଧାନ
-
ଦେଶର ୩୨ଟି ଆଂଚଳିକ କେନ୍ଦ୍ରର ୨ ଲକ୍ଷ ୯୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ, ଡିପ୍ଲୋମା, ସାର୍ଟିଫିକେଟ, ପିଏଚଡ଼ି, ଏମଫିଲ ଓ ଗୋଲ୍ଡ ମେଡ଼ାଲ ପ୍ରଦାନ
-
ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କୁ ନବସୃଜନ ଦ୍ୱାରା ସଶକ୍ତ କରିବାକୁ ହେବ
-
ପାଠପଢ଼ା ସମୟରେ ରୋଜଗାର ପାଇଁ ପ୍ରୋତ୍ସାହିତ କରିବା ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେଉ
-
ଶିକ୍ଷାର ପରିଧିକୁ ଆହୁରି ବ୍ୟାପକ କରିବା ପାଇଁ ଇଗ୍ନୋକୁ ଆହ୍ୱାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ । ଯଦି ଭାରତକୁ ଆମେ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ଭାବରେ ପ୍ରତିଷ୍ଠିତ କରିବାକୁ ଚାହୁଁଛେ ତେବେ ଆମକୁ ଶିକ୍ଷାର ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବାକୁ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ୩୫ତମ ସମାବର୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତି ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଯୁକ୍ତିବିଦ୍ୟା ନୂଆ ସୁଯୋଗ ଭାବରେ ଉଭା ହୋଇଛି । ଆମକୁ ଆମ ଜନସଂଖ୍ୟା ବିଶେଷ ଭାବରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କୁ ନବସୃଜନ ଦ୍ୱାରା ସଶକ୍ତ କରିବାକୁ ହେବ । ସବୁଠି ଶିକ୍ଷା ଉପଲବ୍ଧି କରିବାକୁ ହେବ ଏବଂ ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ଓ ଇ-ଲର୍ଣ୍ଣିଂ ଏ ଉଦ୍ଦେଶ୍ୟରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।
ଆମ ସଭ୍ୟତାର ବୌଦ୍ଧିକ ସମ୍ପତି ଆମ ଶିକ୍ଷା ବ୍ୟବସ୍ଥା । ‘ବସୁଧୈବ କୁଟୁମ୍ବକମ’ ପଥରେ ଆମ ସଭ୍ୟତାର ବୌଦ୍ଧିକ ସମ୍ପତି ଓ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଅପାର କ୍ଷମତାକୁ ଏକତ୍ରିତ କରିବାକୁ ପଡ଼ିବ । ଏହା ଦ୍ୱାରା ଶିକ୍ଷା କ୍ଷେତ୍ର ଅଧିକ ସାମଗ୍ରିକ ହେବ ଏବଂ ବିଶ୍ୱର ମଙ୍ଗଳ ହୋଇପାରିବ । ଜାତୀୟ ଶିକ୍ଷା ନୀତିରେ ଥିବା ମଲଟିପଲ ଏଂଟ୍ରି, ମଲଟିପଲ ଏକ୍ସିଟରେ ଇଗ୍ନୋ ଏକ ପ୍ରମୁଖ ଉଦାହରଣ । ଶିକ୍ଷା ଏବଂ ପାଠପଢ଼ା ସମୟରେ ରୋଜଗାର କରିବା ପାଇଁ ପ୍ରୋତ୍ସାହିତ କରିବା ଆମ ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଇଗ୍ନୋ ଶିକ୍ଷା ତଥା ଶିକ୍ଷାଦାନକୁ ଦେଶର ଦୁର୍ଗମ ଅଂଚଳ ଏବଂ ଗରିବ ଲୋକଙ୍କ ପାଖରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଇଗ୍ନୋ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଇଂଟରନେଟ୍ ଏବଂ ଡ଼ିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରି ଶିକ୍ଷାର ପରିଧିକୁ ଆହୁରି ବ୍ୟାପକ କରିବା ଦରକାର । ଇ-ପାଠ୍ୟକ୍ରମକୁ ଆହୁରି ସୁଦୃଢ଼କରୁ ଏବଂ ବିଶ୍ୱରେ ଜ୍ଞାନର କେନ୍ଦ୍ର ଭାବରେ ଏକ ବେଂଚମାର୍କ ଭାବରେ ଉଭା ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ଇଗ୍ନୋର ଏହି ସମାବର୍ତନ ସମାରୋହରେ ଦେଶର ୩୨ଟି ଆଂଚଳିକ କେନ୍ଦ୍ରର ୨ ଲକ୍ଷ ୯୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ, ଡିପ୍ଲୋମା, ସାର୍ଟିଫିକେଟ, ପିଏଚଡ଼ି, ଏମ୍ଫିଲ ଓ ଗୋଲ୍ଡ ମେଡ଼ାଲ ପ୍ରଦାନ କରାଯାଇଥିଲା ।