ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ରେ ମାଓବାଦୀ ମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ମାଓବାଦୀ ମାନେ ସୀମାନ୍ତ ଛତ୍ତିଶଗଡ଼ର କୋଣ୍ଟା ଗ୍ରାମ ଠାରୁ ମାତ୍ର ୧୫ କି.ମି. ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଚିନ୍ତୁର ମଣ୍ଡଳମର କତୁର ଗ୍ରାମ ଜଙ୍ଗଲ ନିକଟରେ ଓଡିଶାରୁ ପଡୋଶୀ ରାଜ୍ୟ ତେଲେଙ୍ଗାନାର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏନଏଲ0୧ବି-୨୨୪୯ ନମ୍ବର ବିଶିଷ୍ଟ ଏକ ଘରୋଇ ବସ କୁ ସମ୍ପୂର୍ଣ୍ଣ ଜାଳି ଦେବା ସହ ନିଜର ଉପସ୍ଥିତି ଜାହିର କରିଛନ୍ତି।
ଏହି ବସଟି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରୁ ତେଲେଙ୍ଗାନାର ହାଇଦ୍ରାବାଦକୁ ଯାଉଥିଲା । ଗତ କାଲି ମାଓବାଦୀଙ୍କ ପକ୍ଷରୁ ଦଣ୍ଡକାରଣ୍ୟ କ୍ଷେତ୍ରରେ ବନ୍ଦ ଆହ୍ଵାନ ଦିଆଯାଇଥିଲା। ତେବେ ମାଓବାଦୀ ମାନେ ଓଡିଶାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏହି ବସ୍ କୁ ରାତି ପ୍ରାୟ ୧୧ଟା ୩୦ ରୁ ୧୨ ଟା ସମୟ ମଧ୍ୟରେ ଅଟକାଇ ସମସ୍ତ ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଇ ସମ୍ପୂର୍ଣ୍ଣ ବସ୍ ରେ ନିଆଁ ଲଗାଇ ଦେଇଥିଲେ। ଓ ଘଟଣାସ୍ଥଳରେ କିଛି ମାଓ ପୋଷ୍ଟର ମଧ୍ୟ ଛାଡିଯାଇଛନ୍ତି। ବସରେ ପାଖାପାଖି ୪୦ ଜଣ ଯାତ୍ରୀ ରହିଥିବା ଜଣାପଡିଛି । ଖବର ପାଇ ଆଜି ଭଦ୍ରାଚଲମ ଏସପି ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ଏ ନେଇ ଚିନ୍ତୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଏହି ବସରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ମାଲାକନଗିରିରୁ ହୋଇଥିବା ବେଳେ କିଛି ଦାଦନ ଶ୍ରମିକ ହାଇଦ୍ରାବାଦକୁ କାମ କରିବାକୁ ଯାଉଥିବା ଜଣାପଡିଛି। ବିଳମ୍ବିତ ରାତିରେ ଏହି ବସରୁ ଓହ୍ଲାଇବା ପରେ କିଛି ଯାତ୍ରୀ ଅନ୍ଯାନ୍ଯ ଗାଡି ମୋଟର ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ବେଳେ ଆଉ କିଛି ଚିନ୍ତୁର ପୋଲିସ ଓ ସ୍ଥାନୀୟ ପ୍ରଶାସନର ସହଯୋଗରେ ଯାଇଥିବା ଜଣାପଡ଼ିଛି। ଏହି ବସ ପଛରେ ଥିବା ଅନ୍ୟ ତିନୋଟି ବସ ର ଡ୍ରାଇଭର ଘଟଣା ପରେ ଭୟଭୀତ ହୋଇ ମାଲକାନଗିରି ଫେରି ଆସିଥିଲେ।