ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସକୁ ମିଳିଛି ପୁଣି ଏକ ସଫଳତା। ଘଞ୍ଚ ଜଙ୍ଗଲ ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ କାଲିମେଳା ପୋଲିସ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।
ସୂଚନା ଅନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ କବାସିଗୁଡା ଗ୍ରାମ ପାଖ ଜଙ୍ଗଲରେ ଗଞ୍ଜେଇ କାରବାର ଚାଲିଥିବା ନେଇ କାଲିମେଳା ପୋଲିସକୁ ଖବର ମିଳିଥିଲା। ପରେ ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସବଇନ୍ସପେକ୍ଟର ସଂଜୟ କୁମାର ବଡସେଠୀଙ୍କ ନେତୃତ୍ବରେ ଏକ ପୋଲିସ ଟିମ ସେଠାରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ୧୯ ବସ୍ତା ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ସେଗୁଡିକ ଓଜନ କରିବା ପରେ ୫ କୁଇଣ୍ଟାଲ ୨୬ କେଜି ୩ 00 ଗ୍ରାମ ଗଞ୍ଜେଇ ବାହାରିଥିଲା। ଏଥିସହିତ ଘଟଣାସ୍ଥଳରେ ରହିଥିବା ଗୋଟିଏ ଅଟୋ ଏବଂ ଗୋଟିଏ ମୋଟରସାଇକେଲ୍ କୁ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶ ପାଲାଗେଡା ଅଞ୍ଚଳର କରା ସାମୁ ଏବଂ ଏମଭି ୭୯ ଥାନା ଅନ୍ତର୍ଗତ କଣ୍ଡେଲଗୁଡା ଗ୍ରାମର ଡମ୍ବରୁ ଶିଶା ବୋଲି ଜଣାପଡିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଥାନା ମହିଳା ସବଇନ୍ସପେକ୍ଟର କୃଷ୍ଣା କୁମାରୀ ପ୍ରଧାନ ଏହାର ତଦନ୍ତ କରୁଛନ୍ତି।