କଟକ,କଟକ ସତୀ ଚଉରା ଶ୍ମଶାନରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଥମେ ବାଦାମବାଡ଼ି ସ୍ଥିତ ବାସଭବନରୁ ତାଙ୍କ ମରଶରୀରରକୁ ଏକ ଶୋଭାଯାତ୍ରାରେ ସତୀ ଚଉରା ଶ୍ମଶାନକୁ ଅଣାଯାଇଥିଲା । ସେଠାରେ ଜିଲ୍ଲାପାଳ ଓ କଟକ ମହାନଗର ନିଗମ (ସିଏମସି) କମିଶନରଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯାଇଥିଲା । ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
ଗତକାଲି ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ପାଇଁ ସୁଖ୍ୟାତି ପାଇଥିଲେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ତାଙ୍କ ବିୟୋଗରେ କବି, ଲେଖକ, ଗାଳ୍ପିକ ଓ ସାହିତ୍ୟିକ ମହଲରେ ଶୋକଛାୟା ଖେଳି ଯାଇଛି ।