ମାଲକାନଗିରି, ଆସନ୍ତା ୨୯ ତାରିଖରୁ ମଇ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ସମାପ୍ତ ହୋଇଛି । ଚଳିତ ବର୍ଷ ମାଲକାନଗିରି ଜିଲ୍ଲାର ୧୨୧ଟି ବିଦ୍ୟାଳୟର ୭୭୭୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ପରୀକ୍ଷା ପାଇଁ ଜିଲ୍ଲାରେ ୪୫ଟି କେନ୍ଦ୍ର କରାଯାଇଥିବା ବେଳେ ଜିଲ୍ଲାର ୯ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି । ଜିଲ୍ଲାର ସମସ୍ତ ତହସିଲଦାର ଏବଂ ବିଡିଓଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ବ ପ୍ରଦାନ କରାଯାଇଛି । ଏଥିସହ ଡିଇଓ ଓ ବିଇଓମାନଙ୍କୁ ମଧ୍ୟ ନେଇ ସ୍କାଡ଼ ଗଠନ କରାଯାଇ ପରୀକ୍ଷା କେନ୍ଦ୍ରର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାଟ୍ରିକ ପରୀକ୍ଷା ଯେଭଳି ସୁରୁଖୁରୁରେ ସଂପନ୍ନ ହେବ ସେନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲା ସ୍କାଡ୍ ସହ ବୋର୍ଡ ସ୍କ୍ବାଡ ମଧ୍ୟ ଜିଲ୍ଲାର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି । ଏଥିସହ ଜିଲ୍ଲାର ୨୧ଟି ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଥିବାବେଳେ ଏଥିପାଇଁ ୩ଟି ନୋଡାଲ ସେଣ୍ଟର କରାଯାଇଛି । ଚଳିତ ବର୍ଷ କଳାରେ ଜିଲ୍ଲାର ୨୪୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବାଣିଜ୍ୟରେ ୧୮୪ ଜଣ ବାଣିଜ୍ୟ ଏବଂ ବିଜ୍ଞାନରେ ୩୨୦୦ ଜଣ ପରୀକ୍ଷା ଦେବେ ବୋଲି ଜଣାପଡିଛି ।