ମାଲକାନଗିରି, ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମପିଭି -୮୧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଜଣେ ଯୁବକ ନିଜ ମୋବାଇଲ ଧରି ବସିଥିବା ବେଳେ ହଠାତ୍ ମୋବାଇଲରୁ ଧୂଆଁ ବାହାରିବା ସହ ବିସ୍ଫୋରଣ ହୋଇଯାଇଥିବା ଅଭିଯୋଗ ହୋଇଛି । ତେବେ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ମୋବାଇଲ ଧରିଥିବା ଯୁବକ ।
ଗ୍ରାମର ମିଲନ ସରକାରଙ୍କ ପୁଅ ସୁରଜ ସରକାର ନିଜ ଗାଁରେ ଏକ ଦୋକାନରେ ବସିଥିବା ସମୟରେ ମୋବାଇଲରୁ ଅଚାନକ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । ଏହା ଦେଖ୍ ଯୁବକ ଜଣକ ମୋବାଇଲକୁ ଅନ୍ୟତ୍ର ଫୋପାଡି ଦେଇଥିଲେ । ଏହାର କିଛି ସମୟ ପରେ ମୋବାଇଲ ସମ୍ପୂର୍ଣ୍ଣ ଜଳିଜାଇ ବିସ୍ଫୋରଣ ହୋଇଥିଲା । ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଯୁବକ ସୁରଜ କଲିକତା ଠାରେ ରହି ପାଠ ପଢୁଥିବା ବେଳେ ଏକ ବର୍ଷ ତଳେ ଏମ.ଆଇ. କମ୍ପାନୀର ମୋବାଇଲ କିଣିଥିଲେ । ଏହି ମୋବାଇଲଟି କେମିତି ବିସ୍ଫୋରଣ ହେଲା ସେ ନେଇ ସେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି ।