
ବୌଦ୍ଧ, ପୋଲିସର ସ୍ଵତନ୍ତ୍ର ଟାକ୍ସ ଫୋର୍ସ ବୌଦ୍ଧର ବନ ବିଭାଗ ସହାୟତାରେ ଚଢ଼ଉ କରି ବିକ୍ରୟ ପାଇଁ ରଖାଯାଇଥିବା ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଏହା ସହିତ ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ବୌଦ୍ଧ ଥାନା ଜଗନ୍ନାଥ ରୋଡ଼ ସ୍ଥିତ ବଘାରପାଲି ଛକରୁ ଗିରଫ କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।
ରାଜ୍ୟ ପୋଲିସର ସ୍ଵତନ୍ତ୍ର ଟାକ୍ସ ଫୋର୍ସ ବୌଦ୍ଧ ଠାରେ ଏକ ଜୀବନ୍ତ ବଜ୍ରକାପ୍ତା ବେଆଇନ ଭାବେ ବିକ୍ରୟ କରିବା ନିମନ୍ତେ ରଖାଯାଇଥିବା ନେଇ ସୂଚନା ପାଇଥିଲେ । ସୂଚନାକୁ ଆଧାର କରି ବୌଦ୍ଧ ସହର ନିକଟସ୍ଥ ସାମ୍ପୋଚ ପଂଚାୟତର ବଘାରପାଲି ଗ୍ରାମରେ ଚଢ଼ଉ କରି ଏକ ବସ୍ତାରେ ଜୀବନ୍ତ ବଜ୍ରକାପ୍ତା ଧରି ଠିଆ ହୋଇଥିବା ବେଳେ ଅଭିଯୁକ୍ତ ପ୍ରକାଶ ମହାକୁଡ ନାମକ ଯୁବକକୁ ଗିରଫ କରିବା ସହ ତା ନିକଟରୁ ୧୧ କେଜି ଓଜନ ବିଶିଷ୍ଟ ବଜ୍ରକାପ୍ତା ଜବତ କରିଛନ୍ତି । ସୁରକ୍ଷିତ ରଖାଯିବା ଏବଂ ପରବର୍ତି କାର୍ଯ୍ୟାନୁଷ୍ଠାନ ପାଇଁ ବଜ୍ରକାପ୍ତାକୁ ବୌଦ୍ଧ ବନବିଭାଗକୁ ହସ୍ତାନ୍ତର କରାଯିବା ସହ ଗିରଫ ଯୁବକକୁ ମଧ୍ୟ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।