
ହରିଚନ୍ଦନପୁର, କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆସେ, ଆଉ ଦୃଢ଼ ଇଛାଶକ୍ତି ଥିଲେ ସଫଳତାକୁ କେହି ଅଟକାଇ ପାରିବେ ନାହିଁ । ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ କପ୍ତିପଦା ଗ୍ରାମର ମହେଶ୍ବର ମହାନ୍ତ । ଧାନ, ପନିପରିବା ଭଳି ପାରମ୍ପରିକ ଚାଷ ଛାଡ଼ି ଏବେ ଅଣପାରମ୍ପରିକ ମହୁ, ତୁଳସୀ, ଫୁଲର ମଲଟି ଫାର୍ମିଂରେ ଚାଷ କରି ଜମିକୁ କରିଛନ୍ତି ଶସ୍ୟ ଶାମଳା । ଯାହା ତାଙ୍କୁ ସ୍ଵାବଲମ୍ବୀ କରିବା ସହ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଯୁବ ଚାଷୀ ଭାବେ ବେଶ ପରିଚୟ ସୃଷ୍ଟି କରିପାରିଛନ୍ତି । ଅଣପାରମ୍ପରିକ ଚାଷ କରି ପରିବେଶକୁ ଏକ ସୁନ୍ଦର ଉପହାର ଦେଇ କମ ଖର୍ଚ୍ଚରେ ଅଧିକ ରୋଜକାର କରିପାରୁଛନ୍ତି । ଆଜକୁ ୩ ବର୍ଷ ହେବ ମହୁଚାଷ ପାଇଁ ଜାତୀୟ ମହୁମାଛି ବୋର୍ଡ ତରଫରୁ ରାଜ୍ୟ ବାହାର ଡେରାଡୁନ, କୃଷି ବିଜ୍ଞାନ କେନ୍ଦ୍ର, ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ଵବିଦ୍ୟାଳୟ ଆଦି ବିଭିନ୍ନ ସ୍ଥାନରୁ ସେ ପ୍ରଶିକ୍ଷଣ ନେଇଥିଲେ । ପରେ ପ୍ରଥମେ ୧୦୦ ମହୁ ବାକ୍ସକୁ ନେଇ ମହୁଚାଷ ଆରମ୍ଭ କରି ବେଶ ସଫଳ ହୋଇଛନ୍ତି । ଏବେ ୧୦୦ଟି ମହୁ ବାକ୍ସ ସହିତ ତୁଳସୀ ଚାଷ ଆରମ୍ଭ କରି କମ ଖର୍ଚ୍ଚରେ ଅଧିକ ରୋଜଗାର କରିବା ଆଶା ରଖିଛନ୍ତି। ତୁଳସୀ ଗଛ ରୋପଣ ନିମନ୍ତେ ଏକର ପିଛା ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୫ ଲକ୍ଷ ଲାଭ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ତରଫରୁ କେନ୍ଦୁଝର ଜିଲ୍ଲାର ମହୁମାଛି ମଡେଲ ପ୍ରୋଜେକ୍ଟ ପାଇଁ ଆହୁରି ୧୦୦ ବାକ୍ସ ବୃଦ୍ଧି କରାଯିବ ବୋଲି କହିଛନ୍ତି । ଅଣପାରମ୍ପରିକ ତୁଳସୀ ଚାଷକୁ ସମ୍ପୁର୍ଣ୍ଣ ଜୈବିକ ପଦ୍ଧତିରେ କରାଯାଉଛି । ଆଗାମୀ ଦିନରେ ଲିଚୁ, ଲିମ୍ବ, କରଞ୍ଜ ଭଳି ଚାଷକୁ ଆପଣେଇ ମୁକ୍ତ ନିମ୍ବ ମେଡିକାଲ କରିବାକୁ ଯୋଜନା ରଖିଛନ୍ତି । ଏହାଦ୍ଵାରା ସେ ନିଜ ଅଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।