-
ବିଜେପି ପକ୍ଷରୁ ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ
ସମ୍ବଲପୁର, ପାନୀୟ ଜଳ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ସମ୍ବଲପୁର ଜନସ୍ଵାସ୍ଥ୍ୟ ବିଭାଗ (ପିଏଚଡି ) କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ପୋଲିସର ବୁଝାସୁଝା ସତ୍ବେ ବିଜେପି କର୍ମୀ ମାନେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତେଜନା ଦେଖାଦେଇଥିଲା ।
ସମ୍ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଛି । ଏପରି ସ୍ଥିତିରେ ସମ୍ବଲପୁର ସହରର ବିଭିନ୍ନ ୱାର୍ଡରେ ପାନୀୟ ଜଳ ଯୋଗାଣାରେ ବିଫଳ ହୋଇଛି ଜନସ୍ଵାସ୍ଥ୍ୟ ବିଭାଗ । ବାରମ୍ବାର ଏନେଇ ଲିଖିତ ଅଭିଯୋଗ କଲେ ସୁଦ୍ଧା ସମସ୍ୟାର ସମାଧାନ ହେଉନି । ଫଳରେ ବିଜେପି ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି । ଦୀର୍ଘ ସମୟ ଧରି ଗେଟ୍ ବାହାରେ ପୋଲିସ ଅଟକାଇ ରଖିବାରୁ ପିଏଚଡି ଅଫିସ ପରିସରକୁ ଧସେଇ ପଶିଥିଲେ ବିଜେପି କର୍ମୀ । ତେବେ ବିଜେପି କର୍ମୀଙ୍କ ସହ ବିଭିନ୍ନ ବସ୍ତିରୁ ଆସିଥିବା ମହିଳାମାନେ କାର୍ଯ୍ୟାଳୟ ବାହାରେ ବସି ରହିଥିଲେ । ବିଭାଗୀୟ ଅଧିକାରୀଙ୍କ ଠାରୁ ଏନେଇ ପ୍ରତିଶୃତି ପାଇବା ପରେ କର୍ମୀମାନେ ଆନ୍ଦୋଳନରୁ ହଟିଛନ୍ତି ।