ଜଟଣୀ – ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କିଷ୍ଟ କଲେଜ ନିକଟ ଏକ ପରିତ୍ୟକ୍ତ ଘରେ ଗତକାଲି ବିଳମ୍ବିତ ରାତିରେ ୬ ଜଣ ଦୁର୍ବୃତ ବସି କୌଣସି ସ୍ଥାନରେ ଡ଼କାୟତି ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ପେଟ୍ରୋଲିଂ ପାର୍ଟି ସେଠାରେ ଚଢ଼ଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଫଳରେ ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ଭୂଜାଲି, କଟୁରୀ, ଲୁହା ପାଇପ୍, ଲୁହା ଛଡ଼ ଆଦି ମାରଣାସ୍ତ୍ର ସମେତ ଡ଼କାୟତିରେ ବ୍ୟବହୃତ ଏକ ଅଟୋ ରିକ୍ସା, ବୁଲେଟ୍ ମୋଟର ସାଇକେଲ ଏବଂ ଅନ୍ୟାନ୍ୟ ଦୁଇଟି ମୋଟର ସାଇକେଲ ଜବତ ହୋଇଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ଏସ.କେ. ଫରିଦ୍ (୨୬), ସବୀର୍ ଖାନ୍ ଓରଫ ବଂଟି (୨୨), କୃଷ୍ଣ ବେହେରା ଓରଫ ଧଣ୍ଡ (୨୫), ଏସ.କେ. ଅଜିମୁଦ୍ଦିନ (୩୪), ସୁଶାନ୍ତ ସୁନ୍ଦରାୟ (୨୮) ଏବଂ ଅମୀୟ ରଞ୍ଜନ ପରିଜା (୨୦) । ଅମୀୟ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଗ୍ରାମର ହୋଇଥିବା ବେଳେ ଅନ୍ୟମାନେ ଜଟଣୀ ଅଂଚଳର ବୋଲି ଜଣାପଡିଛି ।
ଅଭିଯୁକ୍ତ ମାନେ ଜଟଣୀ-ଷଣ୍ଢପୁର-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଅନେକ ସମୟରେ ଦାଦାଗିରି ଦେଖାଇ ବିଭିନ୍ନ ଗାଡିକୁ ଅଟକାଇବା ସହ ଜୋରଜବରଦସ୍ତ ସେମାନଙ୍କ ନିକଟରୁ ଚାନ୍ଦା ଆଦାୟ କରିଥାନ୍ତି । ଏମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଜଟଣୀ ଥାନା ପୋଲିସ ଏ ସଂକ୍ରାନ୍ତରେ ୪୪୪/୧୯ରେ ଏକ ମାମଲା ରୁଜ୍ଜୁ କରିବା ସହ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଏସଆଇ ପି.କେ. ନାୟକ ସୂଚନା ଦେଇଛନ୍ତି ।