କୋଲକାତା – ସାମୁଦ୍ରିକ ଝଡ଼ ‘ବୁଲବୁଲ୍’ ପଶ୍ଚିମବଙ୍ଗ-ବାଲାଂଦେଶ ମଝିରେ ସାଗରଦ୍ୱୀପ -ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ପରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି । ବିଶେଷ କରି ଉପକୂଳବର୍ତି ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ପ୍ରାୟ ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏମାନଙ୍କୁ ମୋଟ୍ ୧୧୮ଟି ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି । ବିପନ୍ନଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ଓ ଆବଶ୍ୟକ ସ୍ଥଳେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିୟନ୍ତ୍ରଣ କକ୍ଷରେ ପହଂଚି ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି କୋଲକାତା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରୋନ୍ ଉଡାଯାଇ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ କ୍ଷୟକ୍ଷତିର ଆକଳନ କରାଯିବ । ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବୁଲବୁଲ୍ ଶନିବାର ରାତି ପ୍ରାୟ ୮ଟା ସମୟରେ ପଶ୍ଚିମବଙ୍ଗ-ବାଲାଂଦେଶ ମଝିରେ ସାଗରଦ୍ୱୀପ -ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଥିଲା । ଲ୍ୟାଣ୍ଡଫଲ୍ କରିବା ପରେ ପ୍ରାୟ ୪ ଘଂଟା ଧରି ସମୁଦ୍ରତଟବର୍ତି ଅଂଚଳରେ ପ୍ରଳୟ ରଚିଥିଲା ବୁଲବୁଲ୍ । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ଏହାର ବେଗ ଘଂଟା ପ୍ରତି ପ୍ରାୟ ୧୨୦ କି.ମି. ଥିଲା । ଯାହାର ପ୍ରଭାବରେ ପ୍ରାୟ ୧୦୦ରୁ ୨୦୦ କି.ମି. ପରିବ୍ୟାପ୍ତ ତଟବର୍ତି ଇଲାକାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଂଟ ଉପୁଡ଼ି ପଡିବା ସହ ବହୁ ସଂଖ୍ୟାରେ ଚାଳ ଛପର ଓ ଆଜବେଷ୍ଟସ୍ ଘର ନଷ୍ଟ ହୋଇଛି । ଏହାର ପ୍ରଭାବରେ ବ୍ୟାପକ ଫସଲ ହାନି ଘଟିଛି ।
ଆଂଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ରାତି ୮ଟା ଠାରୁ ରାତି ୧୨ ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ କୋଲକାତାରେ ଘଂଟା ପ୍ରତି ୬୦ କିମି ବେଗରେ ପବନ ବହିଥିବା ବେଳେ ଅନ୍ୟ ଜିଲ୍ଲା ମାନଙ୍କରେ ପବନର ବେଗ ଘଂଟା ପ୍ରତି ୧୦୦ରୁ ୧୧୦ କିମି ଥିଲା । ତେବେ ଏହାର ଅଧିକ ପ୍ରଭାବ ପୂର୍ବ ଏବଂ ପଶ୍ଚିମ ମେଦିନପୁର ଜିଲ୍ଲାରେ ପଡିଥିବା ଦେଖିବାକୁ ମିଳିଛି । ଉତର ଓ ଦକ୍ଷିଣ ୨୪ ପ୍ରଗଣା ଅଂଚଳରେ ମଧ୍ୟ ଲୋକେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଦିଘା, ସୁନ୍ଦରବନ ଭଳି ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ଏହା ଧ୍ୱଂସ୍ତବିଧ୍ୱସ୍ତ କରି ପକାଇଛି ।
ଆଜି ଅପରାହ୍ନରେ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରୀ ବୁଲେଟିନ୍ ରେ କୁହାଯାଇଛି ଯେ, ପଶ୍ଚିମବଙ୍ଗ ସମୁଦ୍ର ତଟବର୍ତି ଇଲାକାରେ ରାତିତମାମ ପ୍ରଳୟ ରଚିବା ପରେ ସାମୁଦ୍ରିକ ଝଡ଼ ବୁଲବୁଲ୍ କ୍ରମଶଃ ଦୁର୍ବଳ ହୋଇ ବାଲାଂଦେଶ ଆଡକୁ ମୁହାଁଇଛି । ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ବୋହୁଛି । ରାଜଧାନୀ କୋଲକାତା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆକାଶ ଯଦିଓ ମେଘାଚ୍ଛନ୍ନ ରହିଛି । ସନ୍ଧ୍ୟା ସୁଦ୍ଧା ପାଗ ପରିବର୍ତନ ହେବ ଓ ଆକାଶ ନିର୍ମଳ ରହିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ବାତ୍ୟା ପାଇଁ ହାୱଡ଼ା-ସିୟାଲଦା ରୁଟ୍ ରେ କେତେକ ଟ୍ରେନ୍ କୁ ବାତିଲ୍ କରାଯାଇଛି । ସେହିପରି ଦମଦମ ବିମାନ ବନ୍ଦରରେ ବିମାନ ଉଡ଼ାଣକୁ ଶନିବାର ସଂନ୍ଧ୍ୟା ୬ଟା ଠାରୁ ରିବାର ସକାଳ ୬ଟା ପର୍ଯ୍ୟନ୍ତ ରଦ୍ଦ କରାଯାଇଥିଲା । ପରବର୍ତୀ ସମୟରେ ବିମାନ ସେବା ସ୍ୱାଭାବିକ୍ ହୋଇଛି । ଖୁବ୍ ଶୀଘ୍ର ସମସ୍ତ ରୁଟ୍ ରେ ରେଳ ସେବା ସ୍ୱାଭାବିକ୍ ହେବା ନେଇ ସୂଚନା ମିଳିଛି ।