ମାଲକାନଗିରି,ନବରଙ୍ଗପୁର ଜିଲା ରାଇଘର ଉଦୟପୁର ଅଞ୍ଚଳର ଜଣେ ନାବାଳିକା ଝିଅକୁ ଆଣି ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ଦାପଲ୍ଲୀ ପଞ୍ଚାୟତ ପୁଲିମେଟଲା ଏମପିଭି ୭ ଗ୍ରାମରେ ବିବାହ ଅନୁଷ୍ଠିତ ହେଉଥିବା ବେଳେ ଖବର ପାଇ ଚାଇଲ୍ଡଲାଇନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ବିବାହ ବନ୍ଦ ସମୟରେ କାଲିମେଳା ସିଡିପିଓ ଅର୍ଣପୂର୍ଣ୍ଣା ବୁରୁଦା, ଶିଶୁ ସୁରକ୍ଷା ଅଧିକାରୀ କେ ମିଶାଇଲ ରାଜୁ, ଆଇସିଡିଏସ ସୁପରଭାଇଜର ଶୁକାନ୍ତି ମାଢ଼ି ପ୍ରମୁଖ ସାମିଲ ହୋଇଥିଲେ । ଏଭପିଭି- ୭ ଗ୍ରାମର ଜନୈକ ୨୬ ବର୍ଷୀୟ ପୁଅ ନବରଙ୍ଗପୁର ଜିଲା ରାଇଘର ଉଦୟପୁର ଅଞ୍ଚଳର ଜଣେ ଝିଅ ସହ ଉଭୟ ପରିବାରଙ୍କ ସହମତିରେ ବିବାହ ସ୍ଥିର ହୋଇଥିଲା । ଗତକାଲି ଏହି ବିବାହ ହେବା ନେଇ ସମସ୍ତ କାର୍ଯ୍ୟ ସାରିଥିଲା । ପ୍ରାୟ ୨ଦିନ ଆଗରୁ ଝିଅ ଓ ତାଙ୍କ ପରିବାର ଲୋକ ଏମପିଭି ୭ ଗ୍ରାମରେ ଆସି ରହିଥିଲେ । ବିବାହ କରୁଥିବା ଝିଅ ନାବାଳିକା ବୋଲି ଲାଇନକୁ ଖବର ଆସିବା ପରେ ଅଧିକାରୀମାନେ ପହଞ୍ଚି ଝିଅର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଝିଅକୁ ମାତ୍ର ୧୫ ବର୍ଷ ହୋଇଥିବା ଜଣାପଡିବା ପରେ ଏହି ବିବାହକୁ ବନ୍ଦ କରାଯାଇଛି ।
ଅନ୍ୟପକ୍ଷରେ ଝିଅର ପିତାମାତାଙ୍କୁ ଡାକି କାଲିମେଳା ସିଡିପିଓ କାଉନସେଲିଂ କରିଥିବା ଜଣାପଡିଛି । ଝିଅକୁ ୧୮ବର୍ଷ ନହେବା ପର୍ଯ୍ୟନ୍ତ ବିବାହ ନ କରିବା ପାଇଁ ବାପାମାଆ ଲିଖିତ ଭାବେ ଜଣାଇବା ପରେ ଝିଅକୁ ନେଇ ସମସ୍ତେ ନିଜ ଅଞ୍ଚଳକୁ ଫେରିଯାଇଥିବା ଜଣାପଡିଛି । ଏଥିରେ ଚାଇଲ୍ଡ ଲାଇନର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।