ଭୁବନେଶ୍ୱର, ପ୍ରବଳ ତାତିରେ ସିଝୁଛି ରାଜଧାନୀ । ଆକାଶରୁ ଯେପରି ନିଆଁ ଖସୁଛି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ରାଜଧାନୀବାସୀ ବେହାଲ । ଶନିବାର ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ତାପାମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ଆଉ ୨ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଆଜି ଅପରାହ୍ନ ସାଢ଼େ ୨ଟାରେ ସମ୍ବଲପୁରର ତାପମାତ୍ରା ୪୦.୨, ଚାନ୍ଦବାଲିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଝାରସୁଗୁଡା ୩୯.୫ଡ଼ିଗ୍ରୀ , ହୀରାକୁଦ ୩୮.୮ଡ଼ିଗ୍ରୀ , କେନ୍ଦୁଝର ୩୮.୬ଡ଼ିଗ୍ରୀ , ବାଲେଶ୍ୱର ୩୭.୪ଡ଼ିଗ୍ରୀ , ପୁରୀ ୩୨.୪ଡ଼ିଗ୍ରୀ , ପାରାଦ୍ୱୀପ ୩୨.୨ଡ଼ିଗ୍ରୀ ଓ ଗୋପାଳପୁରରେ ୨୯.୮ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ପୂର୍ବରୁ ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୪୦.୮ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ଗତ ୧୮ ତାରିଖରେ ୪୦.୨ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା ।