ଭୁବନେଶ୍ବର, ଜୁନ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି ବୋଲି ଶୁକ୍ରବାର ଦିନ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।
ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଖରାଛୁଟି ସମୟ ପରିବର୍ତନ କରିବାକୁ ବିଚାର କରାଯାଇନି। ଯଦି ସେମିତି ପରିସ୍ଥିତି ଆସେ, ତାହାଲେ ବିଭାଗ ସେନେଇ ବିଚାର କରିବ ବୋଲି ସେ ପ୍ରକାଶ କରିଛନ୍ତି ।
ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କରୋନା ପ୍ରଭାବ ସେଭଳି ନାହିଁ। ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଏ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତିକା ମିଳିବ । ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ। ମେ ମାସରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷାବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ। ଦୁଇ ବର୍ଷର ପିଲାଙ୍କ ପାଠପଢା କ୍ଷତିଭରଣା କରିବା ପାଇଁ ବିଭାଗ ଏଭଳି ବ୍ୟବସ୍ଥା କରିଛି । କେବଳ ଯେ ଖରାଛୁଟି ସମୟରେ ହେବାକୁ ଥିବା କ୍ଲାସରେ ଏହା କେବଳ ପଢ଼ାଯିବ, ତାହା ନୁହେଁ ବରଂ ପୁରା ସେସନରେ ଏହି ପାଠ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖନୀୟ ଯେ ଚଳିତ ବର୍ଷ ସ୍କୁଲ ମାନଙ୍କରେ ଖରା ଛୁଟି ଜୁନ ମାସରେ କରିବାକୁ ନିଷ୍ପତି ସମ୍ପର୍କରେ ଘୋଷଣା ପରେ ଏହାକୁ ବିରୋଧ କରାଯିବା ସହ ଛୁଟିକୁ ମେ ମାସରେ କରିବାକୁ ଦାବି ହୋଇଥିଲା ।