ଭୁବନେଶ୍ବର. ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ସଂକ୍ରମଣ ବଢିବ ନାହିଁ ବୋଲି କହି ହେବ ନାହିଁ। କରୋନା ସଂକ୍ରମଣ କିପରି ରାଜ୍ୟରେ ନ ବଢିବ ସେଥି ପାଇଁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ କିପରି ନ ବଢ଼ିବ, ଯଦି ବଢ଼ିବ କିଭଳି ଆୟତ୍ତ କରାଯିବ, ତାକୁ ଗୁରୁତ୍ୱ ଦିଆଯାଉଛି। ଆଜି ରାଜ୍ୟରେ ମାତ୍ର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସ୍ଥିତି ଭଲ ଅଛି।
ସେ ଆହୁରି କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି। ସରକାର ବାରମ୍ବାର କହୁଛନ୍ତି, ଯଦି ଆବଶ୍ୟକ ପଡ଼ିବ, ସଙ୍ଗେସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ। ରାଜ୍ୟରେ ଔଷଧ ଓ ଅକ୍ସିଜେନ ବିପୁଳ ପରିମାଣରେ ମହଜୁଦ ଅଛି।
ସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି, କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ। ଭିଡ଼ଠୁ ଦୂରେଇ ରହିବା ଦରକାର। ଅଲଗା ରାଜ୍ୟରେ ଯେହେତୁ ସଂକ୍ରମଣ ବଢ଼ୁଛି, ଆମକୁ ସତର୍କ ରହିବାକୁ ପଡ଼ିବ। ଯଦି ଆମେ ସବୁ ନିୟମ ପାଳନ କରିବା, ସଂକ୍ରମଣକୁ ରୋକିପାରିବା ବୋଲି ସେ କହିଛନ୍ତି ।