ମାଲକାନଗିରି, ମାଲକାନଗିରି ଜିଲ୍ଲା ୧୯୯୨ରେ ଗଠନ ହେଲା। ଜିଲ୍ଲା ଗଠନ ହେବାର ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ଯ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀଟି ଖାଲି ପଡିଛି। ରାଜ୍ଯର ବିଭିନ୍ନ ଜିଲ୍ଲାରେ ସଂସ୍କୃତି ଅଧିକାରୀଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦେଇଥିଲେ ମଧ୍ୟ ମାଲକାନଗିରି ଜିଲ୍ଲାକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିବା ଜଣାପଡିଛି। ଦିନକୁ ଦିନ ଜିଲ୍ଲା ସଂସ୍କୃତି କାର୍ଯ୍ଯାଳୟରେ କାମ ବୃଦ୍ଧି ପାଉଥିବା ବେଳେ ଏହି କାର୍ଯ୍ଯ ବର୍ତ୍ତମାନ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତୁଲାଇ ଆସୁଛନ୍ତି। ଏଣୁ ମାଲକାନଗିରି ଜିଲ୍ଲା ପାଇଁ ନିୟମିତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଆବଶ୍ଯକତା ରହିଛି। ବର୍ତ୍ତମାନ ମାଲକାନଗିରି ଜିଲ୍ଲା ସଂସ୍କୃତି କାର୍ଯ୍ଯାଳୟ ତରଫରୁ ମାଥିଲି ବ୍ଲକରେ ୭ ଗୋଟି ଭାଗବତ ଟୁଙ୍ଗୀ ନିର୍ମାଣ କରାଯାଇଛି। ପ୍ରତ୍ଯେକ ଭାଗବତ ଟୁଙ୍ଗୀ ପାଇଁ ୨୫ ହଜାର ଟଙ୍କାର ସରକାରୀ ସହାୟତା ରାଶି ଯୋଗାଇ ଦିଆଯାଇଛି। ସେହିପରି ଆଉ ୭ଟି ଭାଗବତ ଟୁଙ୍ଗୀ କାଲିମେଳା ବ୍ଲକରେ ନିର୍ମାଣ କରିବା ଲାଗି ସଂସ୍କୃତି ବିଭାଗକୁ ସୁପାରିଶ କରାଯାଇଛି। ମୁଖ୍ଯମନ୍ତ୍ରୀ କଳାକାର ଭତ୍ତା, ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ କଳା ସଂସ୍କୃତି ସଂଘ ଗଠନ କରିବା ଏବଂ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ଯଗୁଡିକୁ ଜନସାଧାରଣରେ ପ୍ରଚାର ପ୍ରସାର କରିବା ଜିଲ୍ଲା ସଂସ୍କୃତି କାର୍ଯ୍ଯାଳୟର ଏ ସବୁ କାର୍ଯ୍ଯ ହୋଇଥିବା ବେଳେ ବର୍ତ୍ତମାନ ସଂସ୍କୃତି ଅଧିକାରୀ ପଦବୀ ୩୦ ବର୍ଷ ହେଲା ଖାଲି ପଡିଥିବାରୁ ବିଭାଗୀୟ କାର୍ଯ୍ଯ ନିଷ୍କ୍ରୀୟ ହୋଇ ପଡିଛି। ଏହା ବ୍ଯତୀତ ଜିଲ୍ଲା ଭିତରେ, ଜିଲ୍ଲା ବାହାରେ ତଥା ରାଜ୍ଯ ବାହାରେ ସାଂସ୍କୃତିକ କାର୍ଯ୍ଯକ୍ରମ ପାଇଁ ସାଂସ୍କୃତିକ ଦଳମାନଙ୍କୁ ପଠାଇବା ମୁଖ୍ଯ କାର୍ଯ୍ଯ ସଂସ୍କୃତି ବିଭାଗର ହୋଇଥିବା ବେଳେ ସଂସ୍କୃତି ଅଧିକାରୀ ନଥିବା ଯୋଗୁଁ ଏସବୁ କାର୍ଯ୍ଯକ୍ରମଗୁଡିକ ସଂପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଛି। ତୁରନ୍ତ ମାଲକାନଗିରି ଜିଲ୍ଲାରେ ସଂସ୍କୃତି ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ସାଧାରଣରେ ଦୃଢ ଦାବି ହୋଇଛି।
Related Stories
November 23, 2024