ଭୁବନେଶ୍ୱର, ସମଗ୍ର ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରିବା, କମ୍ପାନୀରାଜ ବନ୍ଦ କରି ରାଜ୍ୟ ସରକାର ବିଦ୍ୟୁତ୍କୁ ନିଜ ହାତକୁ ନେବା, ରାଜ୍ୟ ବିଦ୍ୟୁତ୍ ବୋର୍ଡକୁ ପୁର୍ନବାହାଲ କରିବା ଏବଂ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ମାଗଣା ବିଜୁଳି ଯୋଗାଇଦେବା ଦାବିରେ ଆଜି ସିପିଆଇ ପକ୍ଷରୁ ରାଜ୍ୟ ବ୍ୟାପୀ ବିଦ୍ୟୁତ୍ ଅଫିସ୍ ଘେରାଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ‘ଟାଟା ପାୱାର’ର ସିଇଓଙ୍କ ଅଫିସ୍ ଘେରାଉ କରାଯାଇଛି ।
ଆଜି ପୂର୍ବାହ୍ନରେ ସିପିଆଇର ଶହ ଶହ କର୍ମୀ ହାତରେ ଦଳୀୟ ପତାକା, ଫେଷ୍ଟୁନ୍ ଓ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡମାନ ଧରି ରାଜଭବନ ଛକ ନିକଟରେ ରୁଣ୍ଡ ହୋଇଥିଲେ । ସେଠାରୁ ଏକ ଶୋଭାଯାତ୍ରା ବାହାରି ପାୱାର ହାଉସ୍ ଛକରେ ଥିବା ଟାଟା ପାୱାର ସିଇଓ ଅଫିସ୍ ନିକଟରେ ପହଂଚି ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ ସିପିଆଇ ଜୋନ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ ଟାଟା କମ୍ପାନୀ ଆସିବା ପରେ ବିଦ୍ୟୁତ୍ କ୍ଷେତ୍ରରେ ଘୋର ଅରାଜକ ପରିସ୍ଥିତି ସୃଷ୍ଟି ହୋଇଛି; ଗ୍ରୀଷ୍ମଋତୁରେ ଘଂଟା ଘଂଟା ଧରି ବିଦ୍ୟୁତ୍ କାଟ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଓ ମନଇଚ୍ଛା ବିଲ୍ ଆସୁଛି ବୋଲି ଅଭିଯୋଗ କରି ରାଜ୍ୟ ସରକାର ଟାଟା କମ୍ପାନୀକୁ ବିଦା କରି ବିଜୁଳିକୁ ନିଜ ହାତକୁ ନେବା ପାଇଁ ଦାବି କରିଥିଲେ । ବିକ୍ଷୋଭ ପରେ ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଟାଟା ପାୱାର (ବଂଟନ) ସିଇଓଙ୍କୁ ଦିଆଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ପରିଷଦ ସଭ୍ୟ ବିଜୟ ଜେନା, ଜୋନ ସହସମ୍ପାଦକ କୈଳାସ ପୁହାଣ, ନାନିକା ମୁଣ୍ଡା, ପାର୍ବତୀ ଲାଗୁରି, ରମା ବେହେରା, ଶୈଳ ନାୟକ, ସବିତା ବେହେରା, ଛେତମ୍ବର ଭୋଇ, ଲୋକନାଥ ଭୋଇ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ଅଶୋକ ବାରିକ, ପାପା ମାକ ଓ ମଙ୍ଗଳା ସେଠୀ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।