
ଭୁବନେଶ୍ୱର,ରାଜ୍ୟରେ ପୁଣି ବଢିବ ତାତି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଆଗାମୀ ୨୪ ଘଂଟା ପରେ ଓଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ରେ ବୃଦ୍ଧି ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅପରପକ୍ଷରେ ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିପାରେ । ଏହାସହ କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ସତର୍କ ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତି, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ କୁଆପଥର ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।
ଏହି ସମୟ ମଧ୍ୟରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଆସନ୍ତାକାଳି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ , କେନ୍ଦୁଝର, ମୟୁରଭଂଜ , ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।