ଭୁବନେଶ୍ୱର – ଏକ ଶିଶୁ ମୃତ୍ୟୁକୁ ନେଇ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଉତେଜନା ଦେଖା ଦେଇଛି । ô
ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲର କାଜୁଆଲିଟିରେ ତାଲା ପକାଇ ଦେଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସିଡିଏ ସେକ୍ଟର ୬ ସ୍ଥିତ ଏକ ବସ୍ତିର ଏକ ୩ ବର୍ଷର ଶିଶୁ ସିଡ଼ିରୁ ପଡ଼ିଯାଇଥିଲା । ପରିବାର ଲୋକେ ଶିଶୁଟିକୁ ବଡ଼ ଡାକ୍ତରଖାନାର କାଜୁଆଲିଟିକୁ ଆଣିଥିଲେ । ଡାକ୍ତର ଶିଶୁଟିକୁ ଚିକିତ୍ସା କରିବା ପରେ ରିପୋର୍ଟ ନର୍ମାଲ୍ ଅଛି କହି ଘରକୁ ନେଇ ଯିବାକୁ କହିଥିଲେ । ହେଲେ ଘରକୁ ଫେରିବା ପରେ ରାତିରେ ଶିଶୁଟିର ବାନ୍ତି ହୋଇଥିଲା ଓ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ।
ପରିବାର ଲୋକେ ପୁଣି ଶିଶୁଟିକୁ କାଜୁଆଲିଟିରେ ଭର୍ତି କରିଥିଲେ । ହେଲେ ଆଜି ଭୋର ସମୟରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ କାଜୁଆଲିଟିରେ ଥିବା ଡାକ୍ତରଙ୍କ ଚାମ୍ବରରେ ତାଲା ପକାଇ ଦେଇଥିଲେ ।
ଏ ସମ୍ପର୍କରେ ସୂଚନା ପାଇବା ପରେ ମେଡିକାଲ୍ ଫାଣ୍ଡି ପୁଲିସ୍ ଓ ମଙ୍ଗଳାବାଗ୍ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପ୍ରାୟ ଘଂଟାଏ ଧରି ମେଡିକାଲ୍ ପରିସରରେ ଉତେଜନା ପ୍ରକାଶ ପାଇଥିଲା । ମୃତଶରୀରକୁ ଘରକୁ ପଠାଇ ଦିଆଯିବା ପରେ ଉତେଜନା କମିଥିଲା ।