
-
ବରଯାତ୍ରୀ ଯିବାବେଳେ ହୃଦଘାତରେ ବର ପିତାଙ୍କ ମୃତ୍ୟୁ
ମାଲକାନଗିରି, ମାଲକାନଗିରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ପୁଅର ବାହାଘର ଦିନ ଚାଲିଗଲା ବାପାଙ୍କ ଜୀବନ । ବାହାଘର ଆରମ୍ଭ ହେବା ପୂର୍ବରୁ ଘଟିଗଲା ଅଘଟଣ । ଗତକାଲି ରାତିରେ ବରଯାତ୍ରୀ କନ୍ୟା ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବରର ପିତାଙ୍କ ଅଚାନକ ମୃତ୍ୟୁ ଘଟିଥିଲା । ସୁଦୂର ଦିଲ୍ଲୀରୁ ମହେନ୍ଦ୍ର ରୋହିଲାଙ୍କ ପୁଅ ଅଙ୍କିତ ରୋହିଲା ମାଲକାନଗିରିର ଜଣେ ଝିଅକୁ ଫେସବୁକରେ ଭଲ ପାଇ ବସିଲେ। ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିବା ପରେ ଉଭୟେ ଜୀବନ ସାଥୀ ହେବା ନେଇ ନିଷ୍ପତି ନେଲେ । ଦୁହିଁଙ୍କ ପରିବାର ମଧ୍ୟରେ ବୁଝାମଣା ମଧ୍ଯ ସରିଲା । ଝିଅଟିର ବାପା ନଥିବା ବେଳେ ମାଆ ସବୁ କଥା ବୁଝୁଥିଲେ । ତେବେ ପୁଅ ଅଙ୍କିତର ପରିବାର ଏବଂ ସମ୍ପର୍କୀୟ ଦିଲ୍ଲୀରୁ ଆସି ମାଲକାନଗିରିର ଏକ ହୋଟେଲରେ ରହିଥିଲେ । ରାତିରେ ବାହାଘର ଥିବାରୁ ବରଯାତ୍ରୀ ହୋଟେଲରୁ ଡିଜେ ବାଜା ବଜାଇ କନ୍ୟା ଘରକୁ ଯିବାକୁ ସଜବାଜ ହେଲେ । ଡିଜେ ଶବ୍ଦରେ ସହର କମ୍ପୁଥିଲା । ଏହି ସମୟରେ ହଠାତ ବରର ବାପା ମହେନ୍ଦ୍ରଙ୍କ ହୃଦଘାତରେ ମୃତ୍ୟୁ ହୋଇଗଲା। ତୁରନ୍ତ ମେଡ଼ିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ହୋଟେଲରେ ପୋଲିସ ପହଁଞ୍ଚି ପରିସ୍ଥିତିକୁ ବୁଝିବା ସହ ସମସ୍ତଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ସହରରେ ଭିଡ଼ ଜମିଥିଲା । ପୋଲିସ କୌଣସି ମାମଲା ରୁଜୁ ନକରି ବର ପିତାର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।