ମାଲକାନଗିରି, ଜଳଛତ୍ର ପାଣିରେ ବିଷ। ଜଳଛତ୍ର ପାଣି ପିଇ ତିନି ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କେହି ଜଣେ ଦୁର୍ବୃତ୍ତ ଜଳଛତ୍ର ପାଣିରେ ବିଷ ମିଶାଇ ଦେଇଥିବା ଅଭିଯୋଗ ଆସିଛି । ସମସ୍ତ ଗୁରୁତରଙ୍କୁ କାଲିମେଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଜଳଛତ୍ରରେ ବିଷ ମିଶାଇଲା କିଏ ଓ କ’ଣ ରହିଛି ତା’ର ଉଦ୍ଦେଶ୍ୟ ?
ମାଲକାନଗିରି ଜିଲ୍ଲାର ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣାପଡ଼ିଛି ଯେ, ଗ୍ରାମବାସୀ ଓ ପଞ୍ଚାୟତର ସହଯୋଗରେ ଏମପିଭି ୪୯ ଗ୍ରାମର ଛକଠାରେ କିଛିଦିନ ପୂର୍ବରୁ ଏକ ଜଳଛତ୍ର ଖୋଲା ଯାଇଥିଲା । ଉକ୍ତ ଜଳଛତ୍ରର ରକ୍ଷଣାବେକ୍ଷଣ ଓ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ଜଣେ ମହିଳାଙ୍କୁ ନିଯୁକ୍ତ କରାଯାଇଥିଲା ।
ତେବେ ସବୁଦିନ ଭଳି ମହିଳା ଜଣକ ଜଳଛତ୍ରର ମାଟି ହାଣ୍ଡିରେ ପାଣି ଭରି ଅପରାହ୍ଣ ୩ଟା ସମୟରେ ନିଜ ଘରକୁ ଚାଲିଯାଇଥିଲେ । ଏହାପରେ କିଛି ଲୋକ ଉକ୍ତ ଜଳଛତ୍ରରୁ ପାଣି ପିଇଥିଲେ । ହଠାତ୍ କିଛି ସମୟ ପରେ ଜଣକ ପରେ ଜଣେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଉକ୍ତ ପାଣିରେ ଚାଷ କାର୍ଯ୍ୟରେ ବ୍ୟବହୃତ କୀଟନାଶକ ଔଷଧ ମିଶିଥିବା ଯାଞ୍ଚରୁ ଜଣାପଡ଼ିଛି । ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଲୋକମାନେ ଜଳ ଉପରେ ନିର୍ଭର କରୁଥିବା ବେଳେ ଏହି ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।