-
ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ
ସୁନ୍ଦରଗଡ଼, କବାଡ଼ିଆକୁ ପିଲାଙ୍କ ବହି ବିକିବା ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଛନ୍ଦା ଚରଣ ସିଂହଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଇଓ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତକାଲି ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରିବା ସହ ଏ ଦିଗରେ ପଦକ୍ଷେପ ନେଇଛନ୍ତି ବିଇଓ ।
ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ୍ୟଉପକରଣ, ପୋଷାକ, ସାଇକେଲ, ଆର୍ôଥକ ସହାୟତା ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକୁ ଶହ ଶହ କୋଟି ଟଙ୍କାର ଅନୁଦାନ ସରକାର ଯୋଗାଇ ଦେଉଛନ୍ତି । ତେବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା କେତେକ ଦୁର୍ନୀତିଖୋର ଅଧିକାରୀଙ୍କ ସହଯୋଗରେ ଏହି ଅନୁଦାନ ରାଶି ହେରଫେର୍ କରାଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି । ଯାହାଦ୍ୱାରା ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ।