-
୩୨ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର, ୪ ଗିରଫ
ସମ୍ବଲପୁର, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଅଶୋକା ଟକିଜ୍ ରୋଡ଼ ସ୍ଥିତ ହୋଟେଲ ସିଲା ଟାୱାରରୁ ଗତ ୧୫ ତାରିଖ ବିଳମ୍ବିତ ରାତିରେ ୩୯ ଲକ୍ଷ ଲୁଟ୍ ଘଟଣାର ପର୍ଦାଫାଶ କରିଛି ସମ୍ବଲପୁର ପୋଲିସ । ହୋଟେଲର ନିଜ କର୍ମଚାରୀ ଏହି ଟଙ୍କା ଲୁଟ୍ କରିବା ସହ ଏହାକୁ ଏକ ଜରି ଅଖାରେ ଭର୍ତି କରି ମାଟି ତଳେ ପୋତି ଦେଇଥିଲେ । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସମ୍ବଲପୁର ଏସପି ବି. ଗଙ୍ଗାଧର ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ହୋଟେଲ ସିଲା ଟାୱାରରେ କାମ କରୁଥିବା ଏହି ୪ କର୍ମଚାରୀ ହିଁ ଲୁଟ୍ ରେ ସମ୍ପୃକ୍ତ । ଏମାନଙ୍କ ମଧ୍ୟରେ ହୋଟେଲର ୩ ଜଣ କର୍ମଚାରୀଙ୍କ ସମେତ ଅନ୍ୟ ଜଣେ ପୂର୍ବତନ କର୍ମଚାରୀ ସାମିଲ୍ ଅଛନ୍ତି । ଏମାନେ ଟଙ୍କା ଲୁଟ୍ କରିବା ପରେ ଲୁଟ୍ ଟଙ୍କାକୁ ଦେବଗଡ଼ ନେଇ ଯାଇଥିଲେ । ସେଠାରେ ଏହି ଟଙ୍କାକୁ ଏକ ଜରି ଅଖାରେ ଭର୍ତି କରି ଜଣେ କର୍ମଚାରୀଙ୍କ ଘର ପାଖରେ ମାଟି ତଳେ ପୋତିଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରାଯାଇ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଲୁଟ୍ ୩୯ ଲକ୍ଷରୁ ୩୨ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର ହୋଇଛି ।