ଭୁୁବନେଶ୍ୱର, ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ତାଙ୍କୁ ୭୯ ବର୍ଷ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ରବୀନ୍ଦ୍ରନାଥ ୧୯୪୩ ମସିହା ମଇ ୧୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପାଇଲେ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୈଷ୍ଣବ ପରିବାର ହୋଇଥିବାରୁ ଘରେ ପଢ଼ା ଯାଉଥିବା ଭାଗବତ ସମେତ ବିିଭିନ୍ନ ପୁରାଣ ଶୁଣି ତାଙ୍କର ସେ ପିଲାଦିନୁ ଲେଖାଲେଖି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ିବାବେଳେ ତାଙ୍କର ପ୍ରଥମ ଗଳ୍ପ ପ୍ରକାଶ ପାଇଥିଲା । ରେଭେନ୍ସାରୁ ଉଚ୍ଚଶିକ୍ଷାପ୍ରାପ୍ତି ପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ସେ ୨୦୦୬-୦୭ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।
ଶ୍ରୀ ଦାସ ଗଳ୍ପ, ଉପନ୍ୟାସ ଲେଖିଥିଲେ ମଧ୍ୟ ଜଣେ ନାଟ୍ୟକାର ଭାବେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ । ନାଟକ ‘ବିଷଣ୍ଣ ପୃଥିବୀ’ ପାଇଁ ତାଙ୍କୁ ୧୯୭୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କର ‘ଅନେକ ଯନ୍ତ୍ରଣା’, ‘ମୁଖବନ୍ଧ’, ‘ନିଃସଙ୍ଗ ଅଶ୍ୱାରୋହୀ’ ଓ ‘ନିର୍ବାସିତ ସମ୍ରାଟ’ ଗଳ୍ପଗ୍ରନ୍ଥ ସମେତ ‘ଘର’, ‘ବାପା’, ‘ବୋଉ’, ‘ମାୟା’, ‘ଉମା’, ‘ହୃଦୟେଶ୍ୱରୀ’ ଓ ‘ନିଃସଙ୍ଗ ଆକାଶ’ ଇତ୍ୟାଦି ଉପନ୍ୟାସ ରହିଛି । ତାଙ୍କ ରଚିତ ନାଟକଗୁଡ଼ିକ ହେଲା ‘ଯୋଦ୍ଧା’, ‘ଧ୍ରୁବ’, ‘ଦେବୀ’, ‘ଚିତ୍ରସେନ’, ‘ଅଙ୍ଗାର’ ଇତ୍ୟାତି । ତାଙ୍କର ଗଳ୍ପ ‘ମୁଖବନ୍ଧ’ ହିନ୍ଦୀ ଚଳଚ୍ଚିତ୍ର ‘ଆଭାସ’ରେ ରୂପାୟିତ ହୋଇ ଆର୍ନ୍ତଜାତିକ ସମ୍ମାନ ଲାଭ କରିଥିଲା । ଶ୍ରୀକାନ୍ତ ବର୍ମାଙ୍କ ‘ମଗଧ’ ସେ ଅନୁବାଦ କରିଛନ୍ତି । ଜଣେ ପ୍ରୟୋଗବାଦୀ ନାଟ୍ୟକାର ଭାବେ ସେ ସୁନାମ ଅର୍ଜନ କରିଥିଲେ । ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ତାଙ୍କର ଏକାଧିକ ନାଟକ ବେତାର ଓ ଦୂରଦର୍ଶନରେ ପ୍ରସାରିତ ହୋଇଛି । ସେ କେତେକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ମଧ୍ୟ ଚିତ୍ରନାଟ୍ୟ ଲେଖିଛନ୍ତି ।
ନିଜ ଉଲ୍ଲେଖନୀୟ ସାହିତ୍ୟ ସାଧନା ପାଇଁ ଶ୍ରୀ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀ, ସଂଗୀତ ନାଟକ ଏକାଡେମୀ, ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ସାଙ୍ଗକୁ ଉତ୍କଳ ସାହିତ୍ୟ ସମାଜ, ସହକାର ପରି ଅନେକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଥିଲେ ।
ମୃତ୍ୟୁଶଯ୍ୟା ନିକଟରେ ଶ୍ରୀ ଦାସଙ୍କ ପତ୍ନୀ ଇନ୍ଦିରା (ଡଲି), କନ୍ୟା ଲିପିକା, ଜାମାତା ମନୋରଞ୍ଜନ, ପୁଅ ଆକାଶ ଓ ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ପାର୍ôଥବ ଶରୀରକୁ ନୟାପଲ୍ଲୀସ୍ଥିତ ବାସଭବନକୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା । ସେଠାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସଂସ୍କୃତି ଭବନକୁ ତାଙ୍କ ପାର୍ôଥବ ଶରୀରକୁ ଅଣାଯାଇଥିଲା । ସେଠାରେ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ ଏବଂ କର୍ମଚାରୀବୃନ୍ଦ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀର କର୍ମଚାରୀବୃନ୍ଦ, ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ସଭାପତି କବି ସୂର୍ଯ୍ୟ ମିଶ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ
କରିଥିଲେ । ପୁରୀଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ।