ସାଲେପୁର, ଗାଁ ହେଉକି ସହର ଲୋକମାନଙ୍କ ଚଳଣୀ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ପାଶ୍ୱର୍ରେ ହାଇମାକ୍ସ ଲାଇଟ୍ ଯୋଗାଇ ଦିଆଗଲା । ହେଲେ ଲାଇଟ୍ ଲଗାଯିବାର ୨/୩ମାସ ମଧ୍ୟରେ ବହୁ ସ୍ଥାନରେ ଲାଇଟ୍ ଜଳୁନଥିବା ବେଳେ କେତେକ ସ୍ଥାନରେ ଏଲିଡ୍ ଲାଇଟ୍ ଭଳି ଧପ ଧପ ହେଉଥିବା ଦେଖାଦେଇଛି ।
ସୂଚନା ମୁତାବକ, କଟକ – ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ପଣସପଡିଆ, କଟିକଟା ବଜାର, କୁଳିଆ ବଜାର, ସୁକରପଡା, ସାଲେପୁର, ଲୁଣା – ଚିତ୍ରୋତ୍ପଳା ଦୀପାଞ୍ଚଳର ନଗସପୁର, ନଇଗୁଆଁ, ନରେନ୍ଦ୍ରପୁର, ଜୟପୁର କଟିକଟା ରାସ୍ତାର କେଣ୍ଟାଳ, ତରତ, ଅସୁରେଶ୍ଵର ଆଦି ସ୍ଥାନରେ ପ୍ରତି ସ୍ଥାନରେ ୨୦ ରୁ ୨୫ ଟି ଲାଇଟ୍ ଲଗାଇବା ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । କେତେକ ପଞ୍ଚାୟତରେ ସରପଞ୍ଚମାନେ ମଧ୍ୟ ସୋଲାର ଲାଇଟ୍ ଲଗାଇଥିବା ଜଣାପଡିଛି । ସୋଲାର ଲାଇଟ୍ ଓ ହାଇମାକ୍ସ ଲାଇଟ୍ ଉଚ୍ଚକୋଟୀର ଲଗାନଯାଇ ନିମ୍ନମାନର ଲଗାଯାଇଥିବାରୁ ଏପରି ହୋଇଥିବା ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି । ବ୍ଲକ ସ୍ତରରେ ପଞ୍ଚାୟତ ପ୍ରତିନିଧି, ଠିକାଦାର ଓ ମନ୍ତ୍ରୀଙ୍କ ସଲାସୁତୁରା ପାଇଁ ସାଧାରଣ ଲୋକ ଏପରି ହଇରାଣ ହରକତ ହେଉଥିବା ଜଣାପଡିଛି । ଲାଇଟ୍ ଖରାପ ବାବଦରେ ବ୍ଲକ ପ୍ରଶାସନକୁ ଜଣାଇଲେ ମଧ୍ୟ ବ୍ଲକ ପ୍ରଶାସନ କିଛି ନଶୁଣିଲା ଭଳି ସନ୍ତୋଷଜନକ ଉତ୍ତର ଦେଉନଥିବାରୁ ବିଡିଓ, ସହକାରୀ ଯନ୍ତ୍ରୀଙ୍କ ଭୂମିକା ମଧ୍ୟ ସନ୍ଦେହଘେରରେ ଥିବା ଜଣାପଡିଛି । ନିଶ୍ଚିନ୍ତକୋଇଲି ବ୍ଳକ ଅଂଚଳରେ ଲଗାଯାଇଥିବା ଲାଇଟ ର ଠିକାଦାର ଏହି ଅଚଳ ଲାଇଟ କୁ ମରାମତି କରିବେ ନା ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବେ ତାହା ସାଧାରଣରେ ଅଜ୍ଞାତ ଥିବାରୁ କଟକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅଚଳ ଲାଇଟକୁ ମରାମତି କରିବା ଦିଗରେ ସହଯୋଗ କଲେ ସାଧାରଣ ଲୋକେ ଉପକୃତ ହୋଇପାରିବେ ।