ମାଲକାନଗିରି, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୂକ୍ତ ବର୍ତ୍ତମାନର ସ୍ଵାଭିମାନ ଅଞ୍ଚଳରେ ପୂର୍ବରୁ ଲାଲ ବାହିନୀ ରାଜ କରି ତାଙ୍କ ଇସାରାରେ ଲୋକଙ୍କୁ ନଚାଉଥିଲେ। ଧୀରେ ଧୀରେ ଲୋକେ ବୁଝିପାରି ମାଓବାଦୀଙ୍କ ହାତ ଛାଡ଼ି ସରକାର, ଜିଲା ପ୍ରଶାସନ ତଥା ପୁଲିସ ପ୍ରଶାସନର ବିଶ୍ଵାସ ଭାଜନ ହୋଇ ଅଞ୍ଚଳର ଉନ୍ନତି ପାଇଁ ଜିଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ଫଳରେ ସ୍ଵାଭିମାନ ଅଞ୍ଚଳରେ ବିକାଶ ପାଦ ଧୀରେ ଧୀରେ ବଢ଼ି ବିକଶିତ ହେବାରେ ଲାଗିଛି। ଓଡିଶା ପୁଲିସ ସହାୟତାରେ ମାଲକାନଗିରି ଜିଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନର ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ଵରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଆନୁକୂଲ୍ୟରେ ଏବଂ ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କ ପରିଚାଳନାରେ ମାଲକାନଗିରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ସିଙ୍ଗ, ମାଲକାନଗିରି ଏଏନ ଇନସ୍ପେକ୍ଟର ହିମାଂଶୁ ବିଶୋଇ ଏବଂ ସ୍ଥାନୀୟ ଅଣ୍ଡିରାପାଲି, ପଣଷପୁଟ ଓ ଯୋଡ଼ାମ୍ବ ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଉପସ୍ଥିତିରେ ଅଣ୍ଡିରାପାଲି ପଞ୍ଚାୟତ ଅନ୍ତର୍ଭୁକ୍ତ ଅରାପଦର ଗ୍ରାମ ଠାରେ ସ୍ଵାଭିମାନ ଅଞ୍ଚଳର ଆଖ ପାଖ ପାଞ୍ଚ ଗୋଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣଷପୁଟ, ଗାଜୁଲୁମାମୁଡ଼ି, ଅଣ୍ଡିରାପାଲି ଓ ଯନ୍ତ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ହଜାର ହଜାର ଜନସାଧାରଣଙ୍କୁ ନେଇ ଏକ ଵିଶାଳ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।
ଚିକିତ୍ସା ନିମନ୍ତେ ସ୍ଵାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ, ଯୁବ ଗୋଷ୍ଠୀଙ୍କ ନିମନ୍ତେ ଖେଳ ଉପକରଣ କିଟ ଯଥା ଭଲି, ଫୁଟବଲ ଓ କ୍ରିକେଟ ନିମନ୍ତେ ଖେଳ କିଟ ଉପକରଣ ପ୍ରଦାନ। ସେହିଭଳି କଳା ସଂସ୍କୃତିକୁ ବଜାୟ ରଖିବାକୁ ଗାଁ ଗାଁକୁ ବାଦ୍ୟ ଯନ୍ତ୍ର ପ୍ରଦାନ, ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ, ବୟସ୍କ ବୃଦ୍ଧା ଓ ବୃଦ୍ଧି ମାନଙ୍କୁ ଛତା, କମଳ ଓ ଜୋତା ଇତ୍ୟାଦି ପ୍ରଦାନ ଏବଂ ମହିଳା ମାନଙ୍କୁ ଶାଢ଼ୀ ଓ କପଡ଼ା ପ୍ରଦାନ କରାଯିବା ସହିତ ସମସ୍ତ ଜନସାଧାରଣଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥଲା। ସ୍ଵାସ୍ଥ୍ୟ ଶିବିରରେ ୬୮୦ ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିବା ବେଳେ ଉକ୍ତ ଜନ ସମ୍ପର୍କ କାର୍ଯ୍ୟକ୍ରମରେ ତିନି ହଜାରରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ।