ସାଲେପୁର, ସରକାର ଗମନାଗମନର ସୁବିଧା ପାଇଁ ଗ୍ରାମାଞ୍ଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ବିଭାଗୀୟ କର୍ମଚାରୀ ଓ ସ୍ଥାନୀୟ ରାଜନୈତିକ କର୍ମଚାରୀଙ୍କ ପାଇଁ ରାସ୍ତାର ସ୍ଥାୟିତ୍ଵକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଭିଯୋଗରୁ ପ୍ରକାଶ ଯେ, ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସାନ୍ତପୁର, ପାଳଦା, ଭାୟା ରଙ୍ଗବଜାର ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ୨ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା । ଏହି କାମ ଯେଉଁ ଠିକାଦାର ଦାୟିତ୍ଵ ନେଇ କରୁଛନ୍ତି ଠିକ୍ ଭାବେ କାମ କରୁନଥିବା ଜଣାପଡିଛି । ରାସ୍ତାର ଓସାର ୨.୫ ମିଟରରୁ ୩ ମିଟର ଥିଲା ବେଳେ ଉଚ୍ଚତା ୪ ଇଞ୍ଚ ହେବା କଥା ଏବଂ ୫ ଟା ଗୋଡି, ୪ ଟା ବାଲି, ୧ ଟା ସିମେଣ୍ଟ ଭାଗରେ ଢଳେଇ କରିବା ପାଇଁ ବିଭାଗୀୟ କର୍ମଚାରୀ ଠିକାଦାରଙ୍କୁ କହିଥିଲା ବେଳେ ଠିକାଦାର ନିଜ ମର୍ଜିରେ ଏହି କାମ କରୁଥିବା ଦେଖାଦେଇଛି । ପୂର୍ବରୁ ଥିବା ଏହି ରାସ୍ତାର ପ୍ରଶସ୍ତିକରଣ ପାଇଁ ସରକାର ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଢଳେଇ ହେଉଥିବା ସ୍ଥାନରେ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟସ୍ଥଳକୁ ନଆସିବା ଫଳରେ ଠିକାଦାର ନିଜ ଇଚ୍ଛାରେ କାମ କରୁଥିବା ଦେଖାଦେଇଥିବାରୁ ରାସ୍ତାର ସ୍ଥାୟିତ୍କକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗ୍ରାମ ଉନ୍ନୟନ ବିଭାଗର ଉଚ୍ଚ ପଦାଧିକାରୀ ଏହି କାର୍ଯ୍ୟର ତଦାରଖ କଲେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି ।