
ଭୁବନେଶ୍ୱର, ପିସିସି ସଭାପତି ପରିବର୍ତନ ନେଇ ଚର୍ଚ୍ଚା ଜୋର ଧରୁଛି । ଜଣେ ବିଧାୟକଙ୍କୁ ସଭାପତି କରିବାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଡି ବସିଛନ୍ତି । ଦଳର ଅନ୍ୟତମ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଅନ୍ୟପକ୍ଷରେ କେବଳ ପିସିସି ସଭାପତି ନୁହେଁ ବିଧାୟକ ଦଳ ନେତା ମଧ୍ୟ ବଦଳିବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ପିସିସି ପରିବର୍ତନ ସୁନିଶ୍ଚିତ । ବିଧାୟକମାନଙ୍କ ଭିତରୁ ଜଣଙ୍କୁ ସଭାପତି କରିବାକୁ ଆମେ ଦାବି କରୁଛୁ । ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନଯାଏ ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ । ଜଣେ ବିଧାୟକ ପିସିସି ସଭାପତି ହେଲେ ତାଙ୍କ ସହ ନଅ ବିଧାୟକ ବୁଲିବେ ଓ ଦଳ ଦମ୍ ଦେଖାଇ ପାରିବ । ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକମାନଙ୍କ ସହ ଆଲୋଚନା କରି କଣ କରାଯିବ ସେ ନିଷ୍ପତି ନେବୁ ।
ସେହିପରି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ଏଥର ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ । କିନ୍ତୁ ବିଧାୟକଙ୍କ ସ୍ଥାନରେ ଅନ୍ୟ କାହାକୁ ଯଦି ହାଇକମାଣ୍ଡ ସଭାପତି କରନ୍ତି, ତେବେ ଆମେ ତାଙ୍କୁ ସମର୍ଥନ କରିବୁ । ଏହାସହ ବିଧାୟକ ଦଳ ନେତା ମଧ୍ୟ ପରିବର୍ତନ ହେବାର ଆବଶ୍ୟକତା ରହିଛି । ମମିତା ମେହେର ଘଟଣାରେ ନରସିଂହ ମିଶ୍ରଙ୍କ ବଡ଼ପୁଅ କଣ ପାଇଁ ସ୍ପେଶାଲ୍ ପିପି ନିଯୁକ୍ତ ହେଲେ ଆମେ ଏ ନେଇ ସଂଗଠନରେ ଆଲୋଚନା କରିବୁ । ନରସିଂହ କଂଗ୍ରେସ ବିଧାୟକ ଦଳ ନେତା ଥିବା ବେଳେ ତାଙ୍କ ପୁଅ କେଉଁ ପରିସ୍ଥିତିରେ କାହିଁକି ସ୍ପେଶାଲ ପିପି ହେଲେ ବୁଝାପଡୁନାହିଁ?
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କେବଳ ପିସିସି ସଭାପତି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି । ଏ କଥା ଦଳର ପ୍ରାୟ ଅଧିକାଂଶ ବିଧାୟକ କହୁଛନ୍ତି । ପିସିସି ପରିବର୍ତନ ପ୍ରସଙ୍ଗରେ ସାଲୁଜା କହିଛନ୍ତି ସେ ଯିଏ ହୁଅନ୍ତୁ ନା କାହିଁକି, ଦଳର ହାଇ କମାଣ୍ଡ ଯାହା ନିଷ୍ପତି ନେବେ ଆମେ ତାକୁ ଗ୍ରହଣ କରିବୁ ।