ଭୁବନେଶ୍ୱର, ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ – ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଗୀତିକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଙ୍ଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ ।
ତାଙ୍କ ସହ ମୋର ଅନେକ ଥର ସାକ୍ଷାତ୍ ହୋଇଛି । ସେ ଜଣେ ଅମାୟିକ ଓ ସ୍ନେହୀ ସ୍ୱଭାବର ବ୍ୟକ୍ତି ଥିଲେ । ସଙ୍ଗୀତ ଜଗତ ପ୍ରତି ତାଙ୍କର ଭଲପାଇବା ଓ ଏକାଗ୍ରତା ଥିଲା ବିରଳ, ଯାହା ସେ ଅତୀତରେ ପ୍ରମାଣିତ କରିଥିଲେ । ଅନେକ ସମ୍ମାନର ଅଧିକାରୀ ଶ୍ରୀ କରଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଲା ।
ସ୍ୱର୍ଗତ କରଙ୍କ ପ୍ରତିଟି କାଳଜୟୀ ଗୀତ ତାଙ୍କୁ ସବୁ ଦିନ ପାଇଁ ଅମର କରି ରଖିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି ।