କେନ୍ଦୁଝର, ଦୁର୍ନିତିରେ ବୁଡି ଗଲାଣି କେନ୍ଦୁଝର । ଯୁଆଡେ ଦେଖିବ ଖାଲି ଦୁର୍ନିତି ଆଉ ଦୁର୍ନିତି । ପ୍ରାୟ ସବୁ ବିଭାଗରେ ଦୁର୍ନିତିର ଗନ୍ଧ । ବିଶେଷ ଭାବେ ଲାଇନ ଡିପାର୍ଟମେଟଂ ଗୁଡିକ ଦୁର୍ନିତିର ସବୁଠାରୁ ଆଗରେ ରହିଛନ୍ତି । ଗ୍ରାମାଚଂଳରେଏହି ଦୁର୍ନିତି ସହଜ ଭାବେ ବେଶ ଆଗକୁ ବଢିଛି । ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପିଛା ଛାଡୁନାହିଁ ଦୁର୍ନିତି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁର୍ନିତିର ତଥ୍ୟମାନ ପ୍ରାୟତଃ ଅଧିକାଂଶ ସମୟରେ ସମ୍ବାଦପତ୍ରର ପୃଷ୍ଠାମଣ୍ଡନ କରିଆସୁଅଛି । ଏ କ୍ଷେତ୍ରରେ ପାଟଣା ବ୍ଳକ ଅଂଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟଶୈଳୀକୁ ଉଦାହରଣ ଭାବେ ନିଆପାରେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଟଣା ବ୍ଲକର କଟିଂଆପଡା ପଂଚାୟତ ଅନ୍ତର୍ଗତ ପୁରୁଣିଆ ଠାରୁ ଜାମୁନଳିଆ ଦେଇ ସଦର ବ୍ଳକର ମଇଦାନକେଲ ଅଂଚଳକୁ ସଂଯୋଗ କରୁଥିବା ସର୍ବମୋଟ ୨ କିଲୋମିଟର ୬୦୦ ମିଟର ରାସ୍ତା ପିଚୁ ହେଉଛି । କିନ୍ତୁ, ସବୁଠାରୁ ଗୁରୁତ୍ଵପୁର୍ଣ୍ଣ ହେଉଛି ଯେ ଏହି ରାସ୍ତା କାମକୁ ଉଦ୍ଦେଶ୍ୟମୂଳକ ଭାବେ ରାତି ସମୟରେ ମନଇଛା କରାଯାଉଥିବା ବେଳେ କାମ ସ୍ଥାନରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ରହୁନାହାଁନ୍ତି । ଫଳରେ ଠିକାଦାର ତାଙ୍କ ମନଇଛା କାମ କରୁଛନ୍ତି। ନିମ୍ନମାନର କାମ କାରଣରୁ ରାସ୍ତାରୁ ପିଚୁ ସବୁ ଖଣ୍ଡ ଖଣ୍ଡ ହୋଇ ଉଠିଆସୁଛି । ଯାହାକି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି । ଏପରିକି ଏଠାରେ ସରକାରଙ୍କ ନିୟମକୁ ମଧ୍ୟ ଖୋଲା ଖୋଲି ଉଲଘଂନ କରାଯାଇ ବିନା ସୂଚନା ଫଳକରେ ଏହି କାମ ଚାଲିଛି । ଗ୍ରାମବାସୀଙ୍କ ଦ୍ଵାରା ଗ୍ରାମ୍ୟ ଉନ୍ନୟନ ବିଭାଗର ଏତାଦୃଶ୍ୟ ନିମ୍ନ ମାନର କାମର ପର୍ଦ୍ଦାଫାଶ ପରେ ଉନ୍ନତମାନର କାମ କରିବା ଦାବୀରେ ଗ୍ରାମବାସୀ ଅଟଳ ରହିଛନ୍ତି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଏତାଦୃଶ୍ୟ ଦୁର୍ନିତିଖୋର ମନୋବୃତି ବିରୁଦ୍ଧରେ ତୁରନ୍ତ ଦୃଢ ପଦକ୍ଷେପ ନେବାକୁ ଦାବୀ ହୋଇଛି ।
କେବଳ ଏତିକି ନୁହେଁ କେନ୍ଦୁଝର ଜିଲ୍ଲାର ମୁଖ୍ୟାଳୟରେ ପ୍ରବେଶ କରୁ କରୁ ଦୁର୍ନିତିର ଛାପା ମଧ୍ୟ ଦେଖିବାକୁ ମିଳିଥାଏ । ମାତ୍ର ପ୍ରାୟ ୩ ବର୍ଷ ପୂର୍ବେ କେନ୍ଦୁଝର ସହରର ଉନ୍ନତିକରଣ ନାମରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ମୁଖ୍ୟ ରାସ୍ତାଟି ନଷ୍ଟ ହୋଇଯିବା ପରେ ଏବେ ତା ଉପରେ ପିଚୁ ବିଛାଯାଇ ଦୁର୍ନିତିକୁ ଘୋଡା ଯାଉଥିବା ଦେଖାଯାଉଅଛି । ଏପରିକି ସହର ମଧ୍ୟରେ ପିଡବ୍ଲୁଡି ବିଭାଗ ଦ୍ଵାରା ନର୍ମିାଣ ହେଉଥିବା ରାସ୍ତା ସବୁ ଦିନବେଳା ଟ୍ରାଫିକର ବାହାନା ଦିଆଯାଇ ରାତିରେ ହିଁ ନିର୍ମିତି ହେଉଥିିବା ବେଳେ ରାସ୍ତାରୁ ଖଣ୍ଡ ଖଣ୍ଡ ହୋଇ ପିଚୁ ଉଠୁଥିବା ଅନେକ ବାର ଅଭିଯୋଗ ବିଭାଗୀୟ ମୁଖ୍ୟଙ୍କ ପାଖରେ ହେବା ପରେ ମଧ୍ୟ ବିଶେଷ କିଛି ପରିବର୍ତନ ହୋଇପାରିନାହିଁ । ସମସ୍ତେ ପ୍ରାୟ ଜାଣିଥିଲେ ଯେ, ପିଚୁ କାମ ଦିନ ବେଳା ହୁଏ । ଫଳରେ ରାସ୍ତାଟି ଦୃଢ, ମଜବୁତ ତଥା ଦୀର୍ଘସ୍ଥାୟୀ ହେବ ବୋଲି କୁହାଯାଉଥିଲା । ଏବେ ବି ବଡ ବଡ ଠିକାଦାରଙ୍କ ଦ୍ଵାରା ହେଉଥିବା ବଡ ବଡ ରାସ୍ତା କାମ ସବୁ ଦିନ ବେଳା ଖରାରେ ହେଉଅଛି । କିନ୍ତୁ, ଆଜିକାଲି କେନ୍ଦୁଝର ଭଳି ଜିଲ୍ଲାରେ ନିର୍ମାଣ ହେଉଥିବା ରାସ୍ତା ଘାଟ, ବିଶେଷ ଭାବେ ପିଚୁରେ ନିର୍ମିତ ହେଉଥିବା ରାସ୍ତା କାମ ଗୁଡିକ ପ୍ରାୟତଃ ଉଦ୍ଦେଶ୍ୟମୂଳକ ଭାବେ ରାତି ସମୟରେ ହିଁ ହେଉଛି । ଯେଉଁଠାରେ ବିଭାଗର କୌଣସି ଅଧିକାରୀ ମଧ୍ୟ ଉପସ୍ଥିତ ରହୁନାହାଁନ୍ତି । ଅବଶ୍ୟ ଏ ସଂପର୍କରେ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ସେ ସବୁ ରାସ୍ତାର ସ୍ଥାୟୀତ୍ଵ ଉପରେ ସାଧାରଣ ଜନତା ପ୍ରଶ୍ନ ଉଠାଇବା ସ୍ଵାଭାବିକ। କିନ୍ତୁ ଉତର ଦେବ କିଏ ତାହା ମଧ୍ୟ ଅନ୍ୟ ଏକ ବଡ ପ୍ରଶ୍ନ ।