ଭୁବନେଶ୍ୱର, ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି ବୋଲି ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଜଣାଇଛନ୍ତି ।
ସେ କହିଛନ୍ତି ପ୍ରଫୁଲ୍ଲ କର ଥିଲେ ଜଣେ ଯୁଗସ୍ରଷ୍ଟା ସଙ୍ଗୀତଜ୍ଞ । ୧୯୭୦ ଦଶକର ଆଦ୍ୟଭାଗରେ ତାଙ୍କର ‘କମଳ ଦେଶ ରାଜକୁମାର’ ରେକର୍ଡ ବଜାରକୁ ଆସିବା ପରେ ସେ ସମଗ୍ର ଓଡ଼ିଶାରେ କମଳଦେଶ ରାଜକୁମାର ନାମରେ ପ୍ରସିଦ୍ଧି ଲାଭ କରିଥିଲେ । ଓଡ଼ିଶାର ଶାନ୍ତି ଆନ୍ଦୋଳନ ସହିତ ଜଡ଼ିତ ହୋଇ ସେ ସୋଭିଏତ୍ ୟୁନିୟନ ସମେତ ବହୁ ସମଜବାଦୀ ଦେଶରେ ସଂଗୀତ ପରିବେଷଣ କରି ଓଡ଼ିଆ ସଙ୍ଗୀତ ବିଶେଷ କରି ଓଡ଼ିଶୀ ସଙ୍ଗୀତର ମର୍ଯ୍ୟାଦା ବିଶ୍ୱ ଦରବାରରେ ବୃଦ୍ଧି କରିଥିଲେ । ୧୯୮୦ ଦଶକରୁ ଦୀର୍ଘ ୪୦ ବର୍ଷ ଧରି ସେ ଭାରତୀୟ ଗଣନାଟ୍ୟ ସଂଘ ବା ‘ଇପ୍ଟା’ର ସଭାପତି ରହିଥିଲେ । ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିବା ସହିତ ଓଡ଼ିଶା ତା’ର ଜଣେ ଶ୍ରେଷ୍ଠ ସନ୍ତାନଙ୍କୁ ହରାଇଲା ।