
ଭୁବନେଶ୍ୱର , ଆଗାମୀ ୩ ମାସ ମଧ୍ୟରେ ଡ୍ରାଇଭର ମାନଙ୍କ ଦାବି ପୂରଣ ନେଇ ଉଦ୍ୟମ କରାଯିବ । ଡ୍ରାଇଭର ମହାସଂଘର ଦାବି ସଂକ୍ରାନ୍ତରେ ପରିବହନ ଓ ଶ୍ରମ ବିଭାଗ ଅଧୀନରେ ଏକ କମିଟି ଗଠନ କରାଯିବ । ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଡ୍ରାଇଭର ମହାସଂଘର କର୍ମକର୍ତାଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏହା କହିଛନ୍ତି । ଡ୍ରାଇଭର ମହାସଂଘକୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ୧୦ ଦଫା ଦାବି ନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ସୋମବାର ଭୋରରୁ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଭୁବନେଶ୍ୱରରେ ପହଂଚିବା ପରେ ମାଷ୍ଟରକ୍ୟାଂଟିନ୍ ଛକରେ ଏକତ୍ରିତ ହୋଇଥିଲେ । ଫଳରେ ଭୁବନେଶ୍ୱରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଯାଇଥିଲା । ରସୁଲଗଡ଼, ବାଣୀବିହାର, ରାଜମହଲ , ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଛକରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା ।
ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ୫୫ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି । ଏଥିସହ ଡ୍ରାଇଭର ଆବାସ ଯୋଜନାରେ ଗୃହନିର୍ମାଣ, ଡ୍ରାଇଭରଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବାକୁ ମଧ୍ୟ ସଂଘ ଦାବି କରିଛି ।