-
ଦୁଇ ନାବାଳକ ଥାନାରେ ଅଟକ
କୋରାପୁଟ, ଗେମ୍ ଖେଳିବାକୁ ମୋବାଇଲ୍ ନଦେବାରୁ ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗେମ୍ ଖେଳିବା ପାଇଁ ମୋବାଇଲ୍ ନଦେବାରୁ ସମ୍ପୃକ୍ତ ଛାତ୍ରକୁ ହତ୍ୟା କରିଛନ୍ତି ତାର ଅନ୍ୟ ଦୁଇ ସାଙ୍ଗ । କୋରାପୁଟ ଟାଉନ୍ ଥାନା ଅଂଚଳରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।
ଗତକାଲି ଗାଁ ସ୍କୁଲ ନିକଟରେ ତିନି ଜଣ ଯାକ ଏକାଠି ବସି ମୋବାଇଲ୍ ଗେମ୍ ଖେଳୁଥିଲେ । ଖେଳିବା ବେଳେ ଜଣେ ସାଙ୍ଗ ଅନ୍ୟ ଦୁଇ ଜଣଙ୍କୁ ମୋବାଇଲ୍ ଦେଇନଥିଲା । ଯାହାକୁ ନେଇ ଅନ୍ୟ ଦୁଇ ସାଙ୍ଗ ରାଗିଯିବା ସହ ସମ୍ପୃକ୍ତ ଛାତ୍ରକୁ ମାଡ ମାରିଥିଲେ । ଏବଂ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ । ଏହାପରେ ଛାତ୍ରଙ୍କ ମୃତଦେହକୁ କୋଲାବ ନଦୀ ହୁଡ଼ାରେ ଫିଙ୍ଗି ଦେଇଥିଲେ । ଆଜି ସକାଳେ ମୃତ ଛାତ୍ରଙ୍କ ବାପା ଶବ ଚିହ୍ନଟ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଦୁଇ ନାବାଳକଙ୍କୁ ଥାନାରେ ଅଟକ ରଖିଛି । ପ୍ରାଥମିକ ତଦନ୍ତରୁ ମୋବାଇଲ୍ ପାଇଁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।