ଭୁବନେଶ୍ୱର, ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦରକରଙ୍କ ୧୩୨ତମ ରାଜ୍ୟସ୍ତରୀୟ ଜୟନ୍ତୀ ରାଜଧାନୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତମଜଦୁର ୟୁନିୟନ (ସିପିଆଇ ଓ ବିକେଏମ୍ୟୁ) ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଶତାଧିକ ସିପିଆଇ ଓ ବିକେଏମ୍ୟୁ କର୍ମୀ ବାବାସାହେବଙ୍କ ଫଟୋଚିତ୍ର ସମ୍ବଳିତ ପ୍ଲାକାର୍ଡମାନ ହାତରେ ଧରି ଅଶୋକନଗରସ୍ଥିତ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ରାଜମହଲ ଛକ ଅତିକ୍ରମ କରି ଏଜି ଛକଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତି ନିକଟରେ ପହଂଚି ମାଲ୍ୟାର୍ପଣ କରିଥିଲେ । ସେଠାରେ ଉପସ୍ଥିତ ନରନାରୀଙ୍କୁ ବିକେଏମ୍ୟୁର ରାଜ୍ୟ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ କହିଲେ ବାବା ସାହେବ ଯେଉଁ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ସମ୍ବିଧାନ ଭାରତବର୍ଷ ପାଇଁ ପ୍ରଣୟନ କରିଥିଲେ ତାକୁ ଆଜି ସାମ୍ପ୍ରଦାୟିକ ଶକ୍ତିମାନେ କ୍ଷୁଣ୍ଣ କରିବାକୁ ବସିଛନ୍ତି । କେନ୍ଦ୍ରରେ ଥିବା ବିଜେପି ସରକାର ଭାରତୀୟ ସଂସଦୀୟ ଗଣତନ୍ତ୍ର ଏବଂ ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରି ବିିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ବିରୋଧୀ ଦଳମାନଙ୍କ ବିରୁଦ୍ଧରେ ପ୍ରୟୋଗ କରି ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ବିପନ୍ନ କରୁଛି । ଏଣୁ ବାବାସାହେବଙ୍କ ଜନ୍ମଦିନରେ ଦେଶର ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଗଣତନ୍ତ୍ର ଓ ସମ୍ବିଧାନର ରକ୍ଷା ପାଇଁ ଐକ୍ୟ ହେବା ଆବଶ୍ୟକ ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ କାର୍ଯ୍ୟକାରୀ କମିଟି ସଭ୍ୟ ଜୟନ୍ତ ଦାସ, ଏଆଇଟିୟୁସିର ଉପସାଧାରଣ ସମ୍ପାଦକ ବିଜୟ ଜେନା, କୈଳାସ ପୁହାଣ, ଛେତମ୍ବର ଭୋଇ, ଅଶୋକ ବାରିକ, ମଙ୍ଗଳା ସେଠୀ, ଶଙ୍କର ବାରିକ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ପଂଚାନନ ସାହୁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।