-
ଅଧିକ ୨ ପ୍ଲାଟୁନ ଫୋର୍ସ ମୁତୟନ, ପୋଲିସର ଫ୍ଲାଗମାର୍ଚ୍ଚ
-
ଜିଲ୍ଲାରେ ଇଂଟରନେଟ୍ ସେବା ଠପ୍
କେନ୍ଦୁଝର, ଯୋଡ଼ାରେ ଦୁଇ ଗୋଷ୍ଠି ମୁହାଁମୁହିଁ ଘଟଣାରେ ପୁଣି ସମ୍ପୃକ୍ତ ଦୁଇ ଗୋଷ୍ଠି ମଧ୍ୟରେ ଚାପା ଉତେଜନା ପ୍ରକାଶ ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୂର୍ବରୁ ୧୪ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ପରବର୍ତି ସମୟରେ ଆଉ ଅଧିକ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦୁଇ ଅତିରିକ୍ତ ଏସପି ସହରର ସ୍ଥିତି ତଦାରଖ କରୁଛନ୍ତି । ଅନ୍ୟପକ୍ଷରେ ଆଜି ବି କେନ୍ଦୁଝର ଜିଲ୍ଲାରେ ଇଂଟରନେଟ୍ ସେବା ବନ୍ଦ ରହିଛି । ଯୋଡାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସେଠାରେ ଫ୍ଲାଗମାର୍ଚ୍ଚ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଯୋଡ଼ାରେ ଦୁଇ ଗୋଷ୍ଠି ମୁହାଁମୁହିଁ ଘଟଣାରେ ଗତକାଲି ବସିବାକୁ ଥିବା ଶାନ୍ତି କମିଟି ବୈଠକ ପାଇଁ ଆଜି ପ୍ରସ୍ତୁତି ଚାଲିଛି । ଶାନ୍ତି ନଫେରିବା ଯାଏଁ ଏଠାରେ ୧୪୪ ଧାରା ବଳବତର ରହିବ ବୋଲି ଚମ୍ପୁଆ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଯୋଡ଼ାରେ ଦୁଇ ଗୋଷ୍ଠି ମୁହାଁମୁହିଁ ଘଟଣାରେ ଗତ ୧୧ ତାରିଖ ରାତି ୧୨ଟା ଠାରୁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଂଟରନେଟ୍ ସେବା ବନ୍ଦ ରହିଛିି । ପ୍ରଶାସନର ପରବର୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଅଧିକ ଉତେଜନାର ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଫଳରେ ଇଂଟରନେଟ ସହିତ ଜଡ଼ିତ ସମସ୍ତ ସେବା ଅଚଳ ହୋଇପଡିଛି । ଯାହାଦ୍ୱାରା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଇଂଟରନେଟ ସେବା ବନ୍ଦ ଯୋଗୁଁ ଖଣିଜପଦାର୍ଥ ଚୋରାଚାଲାଣ ବୃଦ୍ଧି ପାଇଛି । ସେହିପରି ଘରେ ରହି ଯେଉଁମାନେ ଅଫିସ କାମ କରୁଛନ୍ତି ସେମାନେ ମଧ୍ୟ ଏହାଦ୍ୱାରା ଦୁଇ ଦିନ ହେଲା ବେଶ୍ ଅସୁବିଧା ଭୋଗୁଛନ୍ତି ।