ଭୁବନେଶ୍ୱର, ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ଡକାଯାଇନଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅପରାଜିତା ଚିଠିରେ ଏହି ଘଟଣାକୁ ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ ବୋଲି ଦର୍ଶାଇଥିବାବେଳେ ରାଜଧାନୀର ଲୋକପ୍ରତିନିଧି ଭାବେ ଆମନ୍ତ୍ରଣ ପାଇବା ତାଙ୍କ ଅଧିକାର ବୋଲି ଲେଖିଛନ୍ତି ।
ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀମତୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ଅପରାଜିତା ଦାବି କରିଛନ୍ତି । ଅପରାଜିତା ଲେଖିଛନ୍ତି ଯେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ସେ ଜଣେ ନିର୍ବାଚିତ ଲୋକସଭା ସଦସ୍ୟ । ରାଜଧାନୀର ଜନ ପ୍ରତିନିଧି ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ତାଙ୍କର ଅଧିକାର । କିନ୍ତୁ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ନା ତାଙ୍କର ନା ଅଛି ନା ତାଙ୍କ ସହ କୌଣସି ରାଜ୍ୟ ସରକାରୀ ଅଧିକାରୀ କଥା ହୋଇଛନ୍ତି । ଆମର ରାଜନୈତିକ ବିଚାରଧାରା ଭିନ୍ନ ହୋଇପାରେ । କିନ୍ତୁ ଲୋକପ୍ରତିନିଧି ଭାବରେ ସୌଜନ୍ୟତା ଦୃଷ୍ଟିରୁ ରାଜ୍ୟ ସରକାର ଏବାବଦରେ କିଛି ଚିନ୍ତା କରିବା ଦରକାର ବୋଲି ଶ୍ରୀମତୀ ଷଡଙ୍ଗୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।
ସୂଚନା ଥାଉ କି ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନେକ ଲୋକଙ୍କୁ ନିମନ୍ତ୍ରିତ କରାଯାଇଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇନାହିଁ । ଆଉ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅପରାଜିତା । ଏ ସମ୍ପର୍କରେ ଟ୍ୱିଟ କରି ଅପରାଜିତା ଲେଖିଥିଲେ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଛି । ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ମୋତେ କରାଯାଇନାହିଁ । ମୁଁ ବି ଯୋଗ ଦେବାକୁ ଚାଁହୁଥିଲେ ବି ମୋତେ ଡକାଯାଇନାହିଁ । ମୋର ଭୁଲ କଣ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ – ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ମନ୍ତ୍ରୀ ପଦ୍ମନାଭ ବେହେରା, ସମୀର ରଞ୍ଜନ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ସୂଚନା ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୁଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ବିଏମସି କମିଶନରଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଭୁବନେଶ୍ୱର ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନାହିଁ ।