
ଭୁବନେଶ୍ୱର, କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ । ଗତକାଲି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ବାହାରିଥିବା କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇ ମୁମ୍ବାଇ ଆଡ଼କୁ ଯାଉଥିବା କୋଣାର୍କ ଏକ୍ସପ୍ରେସ ମଝି ରାସ୍ତାରେ ସିକନ୍ଦରାବାଦ ଷ୍ଟେସନ୍ ପୂର୍ବରୁ ଯାଂଚ କରାଯାଇଥିଲ । ତେବେ ବୋମା ମିଳି ନଥିବା ଜଣାପଡିଛି ।
ସୂଚନା ମୁତାବକ, ମୁମ୍ବାଇ ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ଛାଡ଼ିବାର କିଛି ଘଂଟା ପରେ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା । ବୋମା ଥିବାର ସୂଚନା ପାଇ ଟ୍ରେନ୍ କୁ ସିକନ୍ଦରାବାଦର ଚର୍ଲପଲ୍ଲୀ ଷ୍ଟେସନରେ ଅଟକାଇ ଦିଆଯାଇଥିଲା । ଯାଂଚ ପାଇଁ ସମସ୍ତ ଯାତ୍ରୀଙ୍କୁ ବଗିରୁ ପ୍ରଥମେ ବାହାର କରି ପୂରା ଟ୍ରେନକୁ ତନ୍ନତନ୍ନ କରି ଯାଂଚ କରିଥିଲେ ବୋମା ନିରୋଧୀ ସ୍କ୍ୱାର୍ଡ । ହେଲେ ଟ୍ରେନରେ କୌଣସି ବୋମା ନଥିବା ଜଣାପଡ଼ିଥିଲା । ବୋମା ନଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ମୁମ୍ବାଇ ଅଭିମୁଖେ ପୁଣି ଥରେ ଯାତ୍ରା ଆରମ୍ଭ କରିଛନ୍ତି ।