
ଭୁବନେଶ୍ୱର, ଦେଶବ୍ୟାପୀ ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳକୁ ସମସ୍ତଙ୍କ ପାଖରେ ପହଂଚାଇବାର କାର୍ଯ୍ୟ କରୁଛନ୍ତି ବିଜେପି କାର୍ଯ୍ୟକର୍ତା । କରୋନା ସଂକ୍ରମଣକୁ ରୋକିବା ପାଇଁ ଯେତେବେଳେ ଟୀକା ହିଁ ଏକମାତ୍ର ଅସ୍ତ୍ର ଭାବେ ଉଭା ହୋଇଥିଲା, ସେତେବେଳେ ମୋଦି ସରକାର ଦେଶରେ ନିଜସ୍ୱ ଟୀକା ପ୍ରସ୍ତୁତ ପାଇଁ ଆଗେଇ ଆସିଥିଲେ ଏବଂ ଅଳ୍ପ ସମୟ ଭିତରେ ଟୀକା ପ୍ରସ୍ତୁତି ସମ୍ଭବ ହୋଇପାରିଥିଲା । ସମସ୍ତଙ୍କୁ ମାଗଣା ଟୀକା ପ୍ରଦାନ କରି ମୋଦି ସରକାର ଦେଶବାସୀଙ୍କୁ ଆଶ୍ୱସ୍ଥି ପ୍ରଦାନ କରିବା ସହ ଦେଶର ସାମର୍ଥ୍ୟକୁ ସମଗ୍ର ବିଶ୍ୱରେ ପ୍ରତିଫଳିତ କରିବାରେ ସଫଳ ହୋଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ।
କରୋନା ମୁକାବିଲା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ହଇରାଣର ଶିକାର ହୋଇଥିବା ଭାରତ ଆଜି ପିପିଇ କିଟ୍, ମାସ୍କ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ସିଜେନ ଅଭାବରୁ ବହୁ ସଂଖ୍ୟାରେ ପ୍ରାଣ ହରାଇଥିବା ଭାରତବର୍ଷ ଆଜି ଏ ସମସ୍ତରେ ଆତ୍ମନିର୍ଭରଶୀଳ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହୋଇ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ସିଜେନ ସିଲିଣ୍ଡର ନିର୍ମାଣରେ ଯେଉଁ ତତ୍ପରତା ପ୍ରକାଶ କରିଥିଲେ, ସେହି କାରଣରୁ ବହୁ ସଂଖ୍ୟାରେ ମଣିଷ ଜୀବନ ବଂଚିଗଲା ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ସମଗ୍ର ଦେଶରେ ଆଜି ସୁଦ୍ଧା ୧୮୬କୋଟିରୁ ଉର୍ଦ୍ଧ୍ୱ ଟୀକା ପ୍ରଦାନ କରାଯାଇଥିବାବେଳେ ଓଡିଶାରେ ଆଜି ସୁଦ୍ଧା ୬କୋଟି ୪୫ଲକ୍ଷ ଟୀକାକରଣ ହୋଇସାରିଛି । ୧୫ରୁ ୧୮ବର୍ଷ ଭିତରେ ପ୍ରଥମ ଡୋଜ୍ ୨୦ଲକ୍ଷ ୨୩ହଜାର ୪୧ ଏବଂ ଦ୍ୱିତୀୟ ଡୋଜ୍ ୧୩ଲକ୍ଷ ୪୯ହଜାର ୨୫୫ ଜଣଙ୍କୁ ଦିଆଯାଇଛି । ସେହିପରି ୧୨ରୁ ୧୪ବର୍ଷ ଭିତରେ ୧୦ଲକ୍ଷ ୨୨ହଜାର ୧୮୮ଜଣ ପିଲାଙ୍କୁ ଟୀକା ଦିଆଯାଇଛି । ୧୮ବର୍ଷରୁ ଉର୍ଦ୍ଧ୍ୱ ପ୍ରଥମ ଡୋଜ୍ ୩କୋଟି ୧୧ଲକ୍ଷ ୧୧ହଜାର ୫୩୭ ଏବଂ ୨କୋଟି ୭୯ଲକ୍ଷ ୭୪ହଜାର ୩୫୮ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟୀକା ଦିଆଯାଇଛି । ବୁଷ୍ଟର ଡୋଜ୍ ଭାବେ ୯ଲକ୍ଷ ୭୯ହଜାର ୦୪୯ଜଣ ଟୀକା ଦିଆଯାଇ ସରିଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ବର୍ତମାନ ପୁଣି ଥରେ ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି । ରାଜ୍ୟରେ ବୁଷ୍ଟର ଡୋଜ ପାଇଁ ସଚେତନତାର ଅଭାବ ରହିଛି । ରାଜ୍ୟ ସରକାର ସଚେତନତା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ରାଜ୍ୟକୁ ଆବଶ୍ୟକୀୟ ସଂଖ୍ୟାରେ ଟୀକା ଯୋଗାଇବାର ଦାୟୀତ୍ୱ କେନ୍ଦ୍ର ସରକାରଙ୍କ । ମାତ୍ର ଟୀକାର ଷ୍ଟୋରେଜ୍ ସହ ଭିତିଭୂମି ଯୋଗାଇବାର ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ । ରାଜ୍ୟ ସରକାରଙ୍କ ସଚେତନତା ସୃଷ୍ଟି କରିବା ଅଭାବ କାରଣରୁ ଆଜି ମଧ୍ୟ ବହୁ ସଂଖ୍ୟାରେ ଦ୍ୱିତୀୟ ଡୋଜ ପାଇବାରୁ ବଂଚିତ ହୋଇଛନ୍ତି । ଯଦି ରାଜ୍ୟ ସରକାର ଷ୍ଟୋରେଜ୍ ବ୍ୟବସ୍ଥାର ଠିକ୍ ଭାବେ ପରିଚାଳନା କରିଥାନ୍ତେ ତେବେ ଓଡିଶାର ଶତପ୍ରତିଶତ ଲୋକ ମାଗଣା ଟୀକା ନେବାରେ ସଫଳ ହୋଇଥାନ୍ତେ । କେବଳ ହୋର୍ଡିଂ ମାରି ବିଜ୍ଞାପନରେ ଦଳୀୟ ପ୍ରଚାର କଲେ ହେବ ନାହିଁ, ବରଂ ବୃହତ ସ୍ୱାର୍ଥ ଦୃଷ୍ଟିରୁ ସଚେତନ ବୃଦ୍ଧି କରିବା କାର୍ଯ୍ୟ କରିବା ଉଚିତ୍ । ଗାଁରେ ଲୋକଙ୍କୁ ଟୀକା ନେବା ପାଇଁ ଡାକି ଟୀକା ପ୍ରର୍ଯ୍ୟାପ୍ତ ପରିମାଣର ନରଖିବା, ମୋଦୀ ସରକାରଙ୍କୁ ନିନ୍ଦିତ କରିବା ପାଇଁ ପ୍ରୟାସ କରିବା । କୋୱିନ୍ ଆପରେ ଟୀକାର ରେଜିଷ୍ଟ୍ରେସନ୍ ହେଉଥିଲା ଯେଉଁଠି କେନ୍ଦ୍ର ସରକାର ଏତିକି ଦିନ ଭିତରେ କୋୱିନ୍ ଆପ ଗଢିପାରିଲେ ସେଠାରେ ରାଜ୍ୟ ସରକାର ଟୀକାର ସୁପରିଚାଳନା ପାଇଁ ଓ ଲୋକଙ୍କ ସୁବିଧା ଏ ସବୁ କରିବାରେ ରାଜ୍ୟ ସରକାର ବିଫଳ ବୋଲି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
ମାଗଣା ଟୀକାକରଣ ଦ୍ୱାରା ଲୋକଙ୍କ ଜୀବନ ବଂଚାଇବାରେ ଯେଉଁ ବିଶ୍ୱାସ ଜିତିଛନ୍ତି, ସେଥି ପାଇଁ ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଛୁ । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଓଡିଶା ସରକାର କୋଭିଡ ଟୀକାକରଣ କ୍ଷେତ୍ରରେ ଆହୁରି ଅଧିକ ସକ୍ରୀୟ ହେବା ଉଚିତ୍ । ବୁଷ୍ଟର ଡୋଜ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ଅଧିକ କ୍ରିୟାଶୀଳ ହେବା ପାଇଁ ଶ୍ରୀମତୀ ପରିଡା ଅନୁରୋଧ କରିଛନ୍ତି । ଏହି ଅବସରରେ ରାଜ୍ୟ ଗଣାମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ୍ ଉପସ୍ଥିତ ଥିଲେ ।