ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟକୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚଳିତ ବର୍ଷ ଜାନୁଆରୀ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅଧ୍ୟାପକ ଦକ୍ଷତା ବର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଯୁବ ରେଡ଼କ୍ରସର ଜିଲ୍ଲା ଆବାହକ ତଥା ସଂଯୋଜକ ଡ଼ା ରଞ୍ଜନ କୁମାର ସ୍ବାଇଁ , ଜିଲ୍ଲା ଯୋଜନା ଅଧିକାରୀ ଅଧ୍ୟାପିକା ନମିତା ଦଣ୍ଡସେନା , ମାଲକାନଗିରି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ପ୍ରମିୟ କୁମାର ମହାନ୍ତି ଏବଂ ଇଂରାଜୀ ବିଭାଗର ଅଧ୍ୟାପକ ପ୍ରଦୀପ ଓରାମ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ, ପରିବେଶ ସ୍ବଚ୍ଛତା, ଜଳ ସଂରକ୍ଷଣ, ଶକ୍ତି ସଂରକ୍ଷଣ, ତମାଖୁ ମୁକ୍ତି ପରିସର ଭଳି ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଫଳସ୍ବରୂପ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦ ମାଲକାନଗିରି ମହାବିଦ୍ୟାଳୟ କୁ ୨୦୨୧ / ୨୨ଶିକ୍ଷା ବର୍ଷ ପାଇଁ ” ଜିଲ୍ଲା ସବୁଜ ଚମ୍ପିୟାନ ” ଭାବେ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ଶିକ୍ଷା ପରିଷଦର ଅଧ୍ୟକ୍ଷ ଡ଼ା. ଡବୁଜି ପ୍ରସନ୍ନ କୁମାର ମାଲକାନଗିରି ମହାବିଦ୍ୟାଳୟକୁ ଜିଲ୍ଲା ସବୁଜ ଚମ୍ପିୟାନ ପୁରସ୍କାର ପ୍ରଦାନ କରିଥିଲେ। ଏହି ପ୍ରମାଣ ପତ୍ରକୁ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ା. ରଂଜନ କୁମାର ସ୍ବାଇଁଙ୍କୁ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଧ୍ରୁବ ଚରଣ ମୁଦୁଲି ଏବଂ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି ମହାବିଦ୍ୟାଳୟ ଏଭଳି କୃତିତ୍ବ ସାଉଁଟି ଥିବାରୁ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।