ଭୁବନେଶ୍ୱର, ପିସିସି ରାଜ୍ୟ ମୁଖିଆ ବଦଳିବା ନେଇ ଚର୍ଚ୍ଚା ଜୋରଦାର ଚାଲିଛି । ନୂଆ ମୁଖିଆ କିଏ ହେବେ ତାଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ଏହି ରେସ୍ ରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁ ନିଆଯାଉଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଜୟଦେବ ।
ଗଣମାଧ୍ୟମକୁ ସୂଚନା ଦେଇ ଜୟଦେବ ଜେନା କହିଛନ୍ତି ପିସିସି ସଭାପତି ହେବାକୁ ଇଚ୍ଛା ନାହିଁ । ମୋର ଇଚ୍ଛା ନାହିଁ କି ମୁଁ ରେସ୍ ରେ ନାହିଁ । ମୁଁ ରେସ୍ ରେ ବିଶ୍ୱାସ ରଖେନି । ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ ନାହିଁ । ଓଡ଼ିଶା ପାଇଁ ହାଇକମାଣ୍ଡ ମୋତେ ଯେଉଁ ଦାୟିତ୍ୱ ଦେବେ, ତାକୁ ଗ୍ରହଣ କରିବି ।
ସେ ଆହୁରି କହିଛନ୍ତି ଦୁଇ ଦୁଇ ଥର ପିସିସି ସଭାପତି ହୋଇଛି । ୨୦୦୪ ମସିହାରେ ମୋ’ ନାଁ ଘୋଷଣା ହେଲା । ଆଉ ୫ ବର୍ଷ ପାଇଁ ପିସିସି ସଭାପତି ରହିଲି । ୨୦୧୩ ମସିହାରେ ପୁଣି ଯେତେବେଳେ ପିସିସି ସଭାପତି ହେଲି, ସେତେବେଳେ ହେବି ବୋଲି କାହାକୁ କହିନଥିଲି କି ଚେଷ୍ଟା ମଧ୍ୟ କରିନଥିଲି ।
ନିକଟରେ ଶେଷ ହୋଇଥିବା ୫ ରାଜ୍ୟରେ ନିର୍ବାଚନ ଫଳାଫଳ ଯେତେବେଳେ କଂଗ୍ରେସ ସପକ୍ଷରେ ଗଲାନି, ସେତେବେଳେ ସାଙ୍ଗଠନିକ ପରିବର୍ତନ କରିବାକୁ କାର୍ଯ୍ୟାକାରିଣୀରେ ସୋନିଆ ଗାନ୍ଧିଙ୍କୁ କୁହାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଫଳାଫଳ ଖରାପ ହୋଇଥିବା ୫ଟି ରାଜ୍ୟରେ ସଭାପତି ପରିବର୍ତନ କରାଗଲା । ଆଉ ଯେଉଁ ରାଜ୍ୟରେ ସାଙ୍ଗଠନିକ ଦୁର୍ବଳତା ଦେଖୁଛନ୍ତି, ସେଠାରେ ପରିବର୍ତନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହି କ୍ରମରେ ଓଡ଼ିଶାରେ ପିସିସି ପରିବର୍ତନ ହୋଇପାରେ । ତେବେ ଏହି ଆଲୋଚନାରେ କଣ ନିର୍ଯାସ ବାହାରିବ, ତାହା ଶ୍ରୀମତୀ ଗାନ୍ଧି ଓ ରାହୁଲ ଗାନ୍ଧି କହିପାରିବେ । ମୁଁ ସେ ବିଷୟରେ କହିପାରିବି ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।
ତେବେ ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କଲେ କିଛି ଅସୁବିଧା ନାହିଁ । ମୁଁ ଯେତେବେଳେ ବିଧାୟକ ଥିଲି, ସେତେବେଳେ ପିସିସି ସଭାପତି ହୋଇଥିଲି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଏ ସେହି ବିଧାୟକ ଯିଏ ପିସିସି ସଭାପତି ହେବେ? ଯାହାଙ୍କ ଉପରେ ଲୋକଙ୍କ ଭରସା ଥିବ ଓ ଯିଏ ଦିନରାତି ୨୪ ଘଂଟା ପରିଶ୍ରମ କରି ବିଜେପି ଏବଂ ବିଜେଡି ବିରୋଧରେ ଲଢ଼େଇ କରିପାରିବେ । ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ମୁଁ ସହଯୋଗ କରିବି ବୋଲି ଶ୍ରୀ ଜେନା କହିଛନ୍ତି ।