
ଭୁବନେଶ୍ୱର, ଖେଳିବାକୁ ଆସିଥିବା ଜଣେ ଆଥଲେଟ୍ ଙ୍କୁ ସିନିୟରମାନେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ରାଉକେଲାର ୨ ଜଣ ଓ ପୋଷ୍ଟାଲର ଜଣେ ସିନିଅର ଆଥଲେଟ ରହିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟି ହଷ୍ଟେଲରେ ରାଉରକେଲାର ସଂପୃକ୍ତ ଜୁନିଅର ଆଥଲେଟ ଉତ୍ପୀଡ଼ନର ଶିକାର ହୋଇଥିବାର ଅଭିଯୋଗ ହୋଇଛି । ଏସମ୍ପର୍କରେ ସମ୍ପୃକ୍ତ ଜୁନିୟର ଆଥଲେଟ୍ ମାଙ୍କ ସହ ଆସି ଗତକାଲି ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଆଜି ସେମାନେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଥିଲେ ।
ସୂଚନା ଅନୁଯାୟୀ ପୀଡ଼ିତ ଆଥଲେଟଙ୍କ ଘର ରାଉରକେଲାରେ ହୋଇଥିବା ବେଳେ ସେ ଦଶମ ଶ୍ରେଣୀର ଛାତ୍ର । ତାଙ୍କ ବାପା ରାଉରକେଲାରେ ଟ୍ରାଫିକ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି । ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଷ୍ଟେଟ ଆଥଲେଟିକ୍ ମିଟ୍ ହୋଇଥିଲା । ୯ ତାରିଖରେ ଲଙ୍ଗ ଜମ୍ପ ପାଇଁ ଇଭେଂଟ ପରେ ଏହି ଘଟଣା ଘଟିଥିଲା । ପିଡୀତ ଛାତ୍ର ଜଣକ କହିଛନ୍ତି ଲଙ୍ଗ ଜମ୍ପ ଇଭେଂଟରେ ମୁଁ ଭଲ ପ୍ରଦର୍ଶନ କରି ପାରି ନ ଥିଲି । ସିନିୟରମାନେ ଡାକି ମୋତେ ଖରାପ ଭାଷାରେ ଗାଳି କରିଥିଲେ । ଗତକାଲି ସାଢେ ୮ଟାରୁ ସାଢେ ୯ଟା ମଧ୍ୟରେ ଭୁବନେଶ୍ୱରର ଏକ ଘରୈାଇ କଲେଜର ହଷ୍ଟେଳ ରୁମ୍ କୁ ଡାକି ମୋତେ ଜୋରଜବରଦସ୍ତି ନିବସ୍ତ୍ର କରିଥିଲେ । ଏହାପରେ ତାଙ୍କ ୨ ସାଙ୍ଗଙ୍କୁ ଭିଡିଓ କଲ କରିଥିଲେ ।
ଏନେଇ ଅଭିଯୋଗ କରିବା ସତ୍ୱେ ଇନଫୋସିଟି ଥାନା ପୋଲିସ୍ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଥିଲେ ସମ୍ପୃକ୍ତ ନାବାଳକ ଖେଳାଳି ଓ ତାଙ୍କ ମା’ । ଏପରିକି ୪ ଜଣଙ୍କୁ ଅଟକ ରଖି ପରବର୍ତୀ ସମୟରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା । ଥାନାରୁ ନ୍ୟାୟ ନ ପାଇ ସମ୍ପୃକ୍ତ ପୀଡ଼ିତ ଓ ତାଙ୍କ ପରିବାର ଲୋକ ଆଜି ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ ।