ନୂଆଦିଲ୍ଲୀ,୧୮ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ ଟିକାର ପ୍ରତିଷେଧକ ମାତ୍ରା ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରଦାନ କରିବାକୁ ସ୍ଥିର ହୋଇଛି । ଏହି ଶ୍ରେଣୀର ଟିକାକରଣ କାର୍ଯ୍ୟକ୍ରମ ଆଜି ରବିବାର ଠାରୁ ଆରମ୍ଭ ହେବ । ଯେଉଁମାନଙ୍କ ବୟସ ୧୮ବର୍ଷରୁ ଅଧିକ ଓ ଦ୍ୱିତୀୟ ମାତ୍ରା ଗ୍ରହଣ କରିବା ନଅମାସ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ପ୍ରତିଷେଧକ ମାତ୍ରା ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହେବେ । ଏହି ସୁବିଧା ପ୍ରତ୍ୟେକ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ।
ଅପରପକ୍ଷରେ ଟିକା ନିର୍ମାତାକାରୀମାନେ କୋଭିଡ ଟିକାର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତି ନେଇଛନ୍ତି । ଉଭୟ ଭାରତୀୟ ନିର୍ମିତ ସେରମ ଇନ୍ଷ୍ଟିଚ୍ୟୁଟ୍ ର କୋଭାଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ସୁବିଧା ମୂଲ୍ୟରେ ହସପିଲାଟଲରେ ଉପଲବ୍ଧ ହେବ । ଉଭୟ ଟିକାର ଦର ଡୋଜ୍ ପ୍ରତି ୨୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ପରିଚଳାନା ଗତ ପ୍ରୋସେସିଂ ଫି ବାବଦକୁ ହସପିଟାଲମାନେ ଅତିରିକ୍ତ ୧୫୦ ଟଙ୍କା ନେବେ । ପୂର୍ବରୁ ଏହାର ଦାମ୍ ୬୦୦ ଓ ୧୨୦୦ ଟଙ୍କା ଥିବା ବେଳେ ଏବେ ଏହା ହ୍ରାସ ହୋଇ ୨୨୫ ଟଙ୍କା ହୋଇଛି ।
ଦେଶରେ ଏପର୍ଯ୍ୟନ୍ତ ୧୫ବର୍ଷରୁ ଊର୍ଦ୍ଧ୍ୱ ଶ୍ରେଣୀର ଶତକଡା ୯୬ଭାଗ କୋଭିଡ-୧୯ ଟିକାର ଅନୂନ୍ୟ ଗୋଟିଏ ମାତ୍ରା ନେଇଥିବାବେଳେ, ଏହି ଶ୍ରେଣୀର ଶତକଡା ୮୩ଭାଗ ଉଭୟ ମାତ୍ରା ନେଇସାରିଛନ୍ତି । ୨ଦଶମିକ ୪କୋଟି ପ୍ରତିଷେଧକ ମାତ୍ରା ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ୧୨ରୁ ୧୪ବର୍ଷ ବୟସର ଶତକଡା ୪୫ଭାଗ ପ୍ରଥମ ମାସରେ ନେଇଛନ୍ତି । ସରକାରୀ ଟିକାଦାନ କେନ୍ଦ୍ର ଜରିଆରେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପ୍ରଥମ ଓ ଦ୍ୱିତୀୟ ମାତ୍ରା ଓ ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନିମନ୍ତେ ପ୍ରତିଷେଧକ ଟିକା କାର୍ଯ୍ୟକ୍ରମ ଜାରି ରହିବା ସହ ଅଧିକ ତ୍ୱରାନ୍ୱିତ ହେବ ।